ପୁରୀ: ସାକ୍ଷୀଗୋପାଳ ମନ୍ଦିର ସେବାୟତ ସଂଘ ପକ୍ଷରୁ ମନ୍ଦିର ଆଗରେ ଧାରଣା ଦିଆଯାଇଛି । ଫଳରେ ଗତକାଲି ଠାରୁ ମନ୍ଦିରର ସବୁ ଦେବନୀତି ବନ୍ଦ ରହିଛି । ଓଡ଼ିଆ ବିଶ୍ବବିଦ୍ୟାଳୟକୁ ଦେବୋତ୍ତର ବିଭାଗ ତରଫରୁ ରାଧାକୁଣ୍ଡ ତୀର୍ଥ ପୁଷ୍କରିଣୀ ଓ ସେବାୟତ ଶ୍ମଶାନ ହସ୍ତାନ୍ତର କରାଯାଇଛି । ଏଥିପାଇଁ ସେବାୟତ ଶ୍ମଶାନ ଉଚ୍ଛେଦ ହୋଇଛି । ଏହାକୁ ବିରୋଧ କରି ସେବାୟତ ମାନେ ଧାରଣାରେ ବସିଛନ୍ତି ।
ଓଡ଼ିଆ ବିଶ୍ବବିଦ୍ୟାଳୟ ନିର୍ମାଣ କରୁଥିବା ଓଡ଼ିଶା ସେତୁ ନିର୍ମାଣ ନିଗମ କର୍ତ୍ତୃପକ୍ଷ ମନ୍ଦିର ପ୍ରଶାସନ କିମ୍ବା ତହସିଲଦାରଙ୍କୁ ଅବଗତ ନକରି ଶ୍ମଶାନ ଉଚ୍ଛେଦ କରିଥିବା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ବବାସୀ ତ୍ରିପାଠୀ ସତ୍ୟବାଦୀ ଥାନାରେ ଅଭିଯୋଗ କରିଛନ୍ତି । ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ ଧାରଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ରଥଯାତ୍ରା ଶେଷ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖିବା ପାଇଁ ସେ ସେବାୟତ ମାନଙ୍କୁ ଅନୁରୋଧ କରିଥିଲେ | ତେବେ ଏହାକୁ ସେବାୟତ ମାନେ ଗ୍ରହଣ କରିନାହାନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିଛି । ଫଳରେ ଗତକାଲି ଠାରୁ ମନ୍ଦିରରେ ଠାକୁରଙ୍କ ଦେବନୀତି ହୋଇପାରିନାହିଁ । ସନ୍ଧ୍ୟା ଆଳତି ପରେ ପହଡ଼ ନହୋଇ ଠାକୁର ଉପାସ ଓ ଅନିଦ୍ରା ରହିଛନ୍ତି । ଅନ୍ୟପଟେ ପ୍ରଭୁ ସାକ୍ଷୀଗୋପୀନାଥଙ୍କୁ ଦର୍ଶନ ପାଇଁ ଆସୁଥିବା ହଜାର ହଜାର ଭକ୍ତ ଦର୍ଶନ ନପାଇ ନିରାଶ ହୋଇ ଫେରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ପୁଣି ଶ୍ରୀମନ୍ଦିର ଭିତର ଭିଡ଼ିଓ ଭାଇରାଲ, ରିଲ୍ସ ବନାଇ ଇନଷ୍ଟାଗ୍ରାମରେ ଅପଲୋଡ଼ କଲେ ଯୁବକ
ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ବବାସୀ ତ୍ରିପାଠୀଙ୍କ ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରା କହିଛନ୍ତି । ଅନ୍ୟପଟେ ନୂତନ ଶ୍ମଶାନ ନିର୍ମାଣ ପାଇଁ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ କହିଛନ୍ତି, "ଓଡ଼ିଶା ସେତୁ ନିର୍ମାଣ ନିଗମ ପକ୍ଷରୁ ସତ୍ୟବାଦୀ ବିଡିଓଙ୍କୁ ୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦତ୍ତ ଜମିରେ ଶ୍ମଶାନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ପରେ ଦେବୋତ୍ତର ବିଭାଗ ସେହି ସ୍ଥାନରେ ଶ୍ମଶାନ ନିର୍ମାଣ କାର୍ଯ୍ୟକୁ ବିରୋଧ କରିଥିଲା । ସେଥିପାଇଁ ନୂତନ ଶ୍ମଶାନ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି । ସେପଟେ ଦାବି ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦଳନରତ ସେବାୟତ ।
ଇଟିଭି ଭାରତ, ପୁରୀ