ଭୁବନେଶ୍ବର: ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂ ଆଜି ପୁରୀ ଜିଲ୍ଲା ଗସ୍ତ କରିଛନ୍ତି । ପୁରୀ ଜିଲ୍ଲାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ପ୍ରମୁଖ ଶାସନ ସଚିବ ପରିଦର୍ଶନ କରିଛନ୍ତି । ଆସନ୍ତା ବର୍ଷ ମାର୍ଚ୍ଚ ୩୧ ପୂର୍ବରୁ ରତ୍ନଚିରା ନଦୀ ଉପରେ ନିର୍ମାଣଧୀନ ସେତୁ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
କାଞ୍ଚିକୁ ସଂଯୋଗ କରୁଥିବା ୨୦୩ ଜାତୀୟ ରାଜପଥରେ ଭାର୍ଗବୀ ନଦୀ ଉପରେ ଥିବା ହାଇଲେବୁଲ୍ ସେତୁ ଏବଂ ନରସିଂହପୁର-ସିରୁଲି ରାସ୍ତାର ଚଷାପଡ଼ା ନିକଟବର୍ତ୍ତୀ ରତ୍ନଚିରା ନଦୀ ଉପରିସ୍ଥ ସେତୁ ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂ । କାଞ୍ଚିକୁ ସଂଯୋଗ କରୁଥିବା ୨୦୩ ଜାତୀୟ ରାଜପଥର ଭାର୍ଗବୀ ନଦୀ ଉପରେ ହାଇଲେଭେଲ୍ ସେତୁ ନିର୍ମାଣ ନିମନ୍ତେ ୫.୧୦ କୋଟି ଟଙ୍କା ବ୍ୟୟ କରାଯାଇଛି । ଏହି ସେତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ସେତୁ ସହ ରାସ୍ତା ସଂଯୋଗୀକରଣ କାର୍ଯ୍ୟ ବାକି ରହିଛି । ତୁରନ୍ତ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ କରି ଆସନ୍ତା ବର୍ଷ ୩୧ ମାର୍ଚ୍ଚ ସୁଦ୍ଧା ସେତୁ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି ସେତୁ ନିର୍ମାଣ ହେଲେ ୧୬ଟି ଗ୍ରାମର ୧୨ ହଜାର ଲୋକ ଉପକୃତ ହେବେ ।
ସେହିପରି ନରସିଂହପୁର-ସିରୁଲି ରାସ୍ତାର ଚଷାପଡ଼ାଠାରେ ରନିଚିରା ନଦୀ ଉପରେ ନିର୍ମିତ ଅନ୍ୟ ଏକ ସେତୁ କାର୍ଯ୍ୟର ମଧ୍ୟ ସେ ସମୀକ୍ଷା କରିଛନ୍ତି । ଏହି ସେତୁ ନିର୍ମାଣ କାର୍ଯ୍ୟରେ ୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହାର ନିର୍ମାଣ କାର୍ଯ୍ୟକୁ ଆସନ୍ତା ବର୍ଷ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଶେଷ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି ସେତୁ ନିର୍ମିତ ହେଲେ ୧୮ ଜିଲ୍ଲାର ୧୪ ହଜାର ଲୋକ ଉପକୃତ ହେବେ । ଏହି ପରିଦର୍ଶନ ସମୟରେ ରାଜ୍ୟ ଗ୍ରାମ୍ୟ ନିର୍ମାଣ ଓ ସେତୁ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ ପ୍ରଦୀପ ସାମଲ ଏବଂ ମୁଖ୍ୟଯନ୍ତ୍ରୀ ଇଂ ରମେଶ ଚନ୍ଦ୍ର ବେହେରା ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର