ପୁରୀ: ଗାଁ ଗାଁକୁ ପକ୍କା ସଡକର ବିଛେଇଥିବା ନେଇ ଡିଣ୍ଡିମ ବାଡ଼ଉଛନ୍ତି ରାଜ୍ୟ ସରକାର । କିନ୍ତୁ ଠିକାଦାର ଓ କିଛି ଦୁର୍ନୀତି ଗ୍ରସ୍ତ ସରକାରୀ ଅଫିସରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବାଟବଣା ହେଉଛି ଏହି ଯୋଜନା । ଆଉ ଦୂରବସ୍ଥା ଭୋଗୁଛନ୍ତି ନିରୀହ ଜନସାଧାରଣ। ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଖୋଦ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ନିର୍ବାଚନ ମଣ୍ଡଳୀରେ ।
ନିମାପଡ଼ା ବ୍ଲକ ଧଳେଶ୍ବର ପଞ୍ଚାୟତ ଉହାଙ୍ଗ ମଲିକ ସାହିକୁ ଯାଇଥିବା ଏହି ରାସ୍ତାର ଚିତ୍ର ହିଁ ବୟାନ କରୁଛି ସରକାରଙ୍କ ସ୍ବଚ୍ଛ ଯୋଜନା ବିଷୟରେ । ପିଚୁ କାମ ପାଇଁ ଆସିଥିବା ଅର୍ଥକୁ ଠିକାଦାର ଆତ୍ମସାତ କରିଚାଲିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ ଟେଣ୍ଡର ପକ୍ରିୟା ଦୀର୍ଘ ତିନି ବର୍ଷ ତଳୁ ସରିଥିବା ବେଳେ ଏପର୍ଯ୍ୟନ୍ତ ମଧ୍ୟ କାମ ଆରମ୍ଭ ହୋଇନାହିଁ ।
ଫଳରେ ଉହାଙ୍ଗ ମଲ୍ଲିକ ସାହିରେ ରହୁଥିବା ଏହି ପନ୍ଦର ପରିବାର ପ୍ରତିଦିନ ଯାତାୟାତ କରିବାରେ ଭୋଗୁଛନ୍ତି ଅକଥନୀୟ ଦୁର୍ଦ୍ଦଶା । ଯଦି ବା କେହି କୌଣସି ସମୟରେ ଅସୁସ୍ଥ ହୁଅନ୍ତି, ତେବେ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ରୋଗୀଟିକୁ ଆଣିବାକୁ ଅସହ୍ୟ ହୋଇଯାଆନ୍ତି ସ୍ଥାନୀୟ ଲୋକେ । ଅନ୍ୟପଟେ କର୍ତ୍ତୃପକ୍ଷଙ୍କୁ ଏ ନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ ମିଳିଥିବା କୁହନ୍ତି ସ୍ଥାନୀୟ ବାସୀନ୍ଦା ପ୍ରଦୋଶ ମଲ୍ଲିକ ।
ଖୋଦ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ଅଞ୍ଚଳରେ ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ହେବା ସ୍ଥାନୀୟ ଅଞ୍ଚଳରେ ଏକପ୍ରକାର ଅସନ୍ତୋଷ ସୃଷ୍ଟି କରିଛି । ତୁରନ୍ତ ଉହାଙ୍ଗ ମଲିକ ସାହିର ରାସ୍ତା ମରାମତି କରା ନଗଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରିବା ସହ ଭୋଟ ବର୍ଜନ କରିବୁ ବୋଲି କଡାଚେତାବନୀ ଦେଇଛନ୍ତି ସ୍ଥାନୀୟ ଗ୍ରାମବାସୀ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ