ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଚାଲିଥିବାବେଳେ ଶ୍ରୀକ୍ଷେତ୍ର ଏବେ ଚଳଚଞ୍ଚଳ । ସାରା ସହର ଲୋକାରଣ୍ୟ । ସହରର କୋଣ ଅନୁକୋଣରେ ପୋଲିସ ଛାଉଣି । ଏତେ ସବୁ ସତ୍ତ୍ବେ ମଧ୍ୟ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଘଟଣା । ଆଧ୍ୟାତ୍ମିକ ନଗରୀରେ ଜଣେ ଆଦିବାସୀ ନାବାଳିକା ଦୁଷ୍କର୍ମ ଶିକାର ହୋଇଥିବା ଅଭିଯୋଗ ଆସିଛି ।
କେନ୍ଦୁଝରର ଏହି ନାବାଳିକା ଜଣଙ୍କ ମାଳତୀପାଟପୁର ୱାଟରପାର୍କରେ କାମ କରନ୍ତି । ଛୁଟିରେ ଘରକୁ ଯାଇଥିବାବେଳେ ଗତକାଲି ରାତିରେ ସେ ବସ ଯୋଗେ ପୁରୀ ଫେରୁଥିଲେ । ମାଳତୀପାଟପୁରରେ ଓହ୍ଲାଇବା ପରିବର୍ତ୍ତେ ପୁରୀ ବସ୍ ଷ୍ଟାଣ୍ଡକୁ ଭୁଲ ବଶତଃ ପଳାଇଯାଇଥିଲେ । ରାତି ବିଳମ୍ବିତ ହେବାରୁ ବସରେ ଶୋଇଯିବାକୁ କହିଥିଲେ ହେଲପର୍ । ନାବାଳିକା ଜଣଙ୍କ ଶୋଇଥିବାବେଳେ ଏକୁଟିଆର ସୁଯୋଗ ନେଇ ହେଲପର ତା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପରେ ପୀଡିତା କୌଶଳକ୍ରମେ ଖସି ଆସି ଅଭିଯୋଗ କରିଥିଲେ ।
ଅଭିଯୋଗ ପରେ ପୋଲିସ ପୀଡିତାକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଶରଧାବାଲି ନିକଟରୁ ଗିରଫ କରିଛି । ଦୁଷ୍କର୍ମକାରୀ ସେହି ବସର ହେଲପର ହୋଇଥିବାବେଳେ ତାର ନାମ ନାରାୟମ ସାହୁ ବୋଲି ଜଣାପଡ଼ିଛି । ଅଭିଯୋଗ ମୁତାବତ ପୋଲିସ ଅଭିଯୁକ୍ତ ବିରୋଧରେ ଦଫା 376 ଏବଂ ପକ୍ସୋ ଆଇନ୍ ଅନୁଯାଇ ମାମଲା ରୁଜୁ କରିଛି ।
କିନ୍ତୁ ଅନ୍ଯପଟେ ଘୋଷଯାତ୍ରା ପାଇଁ ସମଗ୍ର ପୁରୀ ସହରକୁ 10 ହଜାରରୁ ଅଧିକ ସଶସ୍ତ୍ର ପୋଲିସ ବାହିନୀ ଜଗି ରହିଥିବାବେଲେ ଏପରି ଲଜ୍ଜାଜନକ ଘଟଣା ଘଟିବା, ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଏକପ୍ରକାର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ