ପୁରୀ: ସୁପ୍ରିମକୋର୍ଟରେ ଚାଲିଥିବା ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗ ମାମଲାରେ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଶ୍ରୀମନ୍ଦିର ସଂସ୍କାର ଏବଂ ବିଭିନ୍ନ ମଠ ଉଚ୍ଛେଦ ପ୍ରସଙ୍ଗରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଓ ସେବାୟତଙ୍କ ସହ ପରାମର୍ଶ କରି ପଦକ୍ଷେପ ନେବାକୁ ସରକାରଙ୍କୁ ସୁପ୍ରିମକୋର୍ଟ ଆଜି ଶୁଣାଣିରେ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ଏହାକୁ ସ୍ବାଗତ କରିଛନ୍ତି ବରିଷ୍ଠ ସେବାୟତ । ସେବାୟତଙ୍କ ଅନୁରୋଧକୁ ସୁପ୍ରିମକୋର୍ଟ ଗ୍ରହଣ କରିଥିବାରୁ ସେମାନେ କୋର୍ଟକୁ ଧନ୍ୟବାଦ ଦେଇଛନ୍ତି । ଏହାସହ ପ୍ରଶାସନ ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ନିରପେକ୍ଷ ବରିଷ୍ଠ ସେବୟତଙ୍କ ମତାମତ ନେବାକୁ ଦାବି ହୋଇଛି ।
ସରକାର ଓ ପ୍ରଶାସନର ସୁବିଧା ଦୃଷ୍ଟିରୁ ସହଯୋଗ କରୁଥିବା ସେବକଙ୍କୁ ନେଇ କେଵଳ ପ୍ରଶାସନ ଆଲୋଚନା କଲେ ବିରୋଧ କରାଯିବ ବୋଲି ମଧ୍ୟ ବରିଷ୍ଠ ସେବାୟତ କହିଛନ୍ତି । ଶ୍ରୀମନ୍ଦିର ପରିଚାଳନା କମିଟ ସଦସ୍ୟଙ୍କୁ ଛାଡି ନିରପେକ୍ଷ ସେବକଙ୍କ ପରାମର୍ଶ ନିଆଯାଉ ନଚେତ ଆଲୋଚନାର କୌଣସି ମୂଲ୍ୟ ରହିବ ନାହିଁ ବୋଲି କହିଛନ୍ତି ସେବାୟତ । ସେପଟେ ପ୍ରଶାସନ ଏଭଳି କାର୍ଯ୍ୟ କଲେ ପୁଣି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ଚେତାବନୀ ଦେଇଛନ୍ତି ସେବାୟତ ।
ସେହିପରି ଜଷ୍ଟିସ ବି ପି ଦାସ କମିଶନ ଶ୍ରୀମନ୍ଦିର ସଂସ୍କାର ନେଇ ସଂପୂର୍ଣ୍ଣ ରିପୋର୍ଟ ପ୍ରସ୍ତୁତ କରିନଥିବା ବେଳେ ସରକାର କେଉଁଭଳି 75 ମିଟର ଉଚ୍ଛେଦ କାର୍ଯ୍ୟ ଓ ସର୍ଭେ କରୁଛନ୍ତି ବୋଲି ସେବାୟତ ପ୍ରଶ୍ନ ଉଠାଇଛନ୍ତି ।
ଏହାସହ ଶ୍ରୀମନ୍ଦିର ସଂସ୍କାରକୁ ନେଇ ବିପି ଦାସ କମିଶନଙ୍କ ରିପୋର୍ଟ ସରକାରଙ୍କୁ ସାର୍ବଜନୀନ କରିବାକୁ ଦାବି ହୋଇଛି । ସେବକ ମାନେ ଶ୍ରୀମନ୍ଦିର ସୁରକ୍ଷା ଓ ସଂସ୍କାର ନେଇ ସମର୍ଥନ କରୁଥିବାବେଳେ ବିକାଶ ଆଳରେ ବିନାଶ ନହେଉ ବୋଲି କହିଛନ୍ତି ବରିଷ୍ଠ ସେବକ ।
ପୁରୀରୁ ଶକ୍ତି ମିଶ୍ର, ଇଟିଭି ଭାରତ