ପୁରୀ: ବାତ୍ୟା ଅମ୍ଫାନ ଯୋଗୁଁ ବୁଧବାର ରଥ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା । ତେବେ ଗୁରୁବାରଠାରୁ ରଥ ଖଳା ଚଳଚଞ୍ଚଳ ହୋଇଛି । ରଥ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଇଛନ୍ତି ସେବକମାନେ । ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ ତାଳ ଧ୍ବଜ ରଥର 10ଟି ଚକ, ଦେବଦଳନ ରଥର 8ଟି ଚକ, ନନ୍ଦିଘୋଷ ରଥର 8ଟି ଚକ ସମ୍ପୂର୍ଣ୍ଣ ହୋଇ 2 ଟି ତୁମ୍ଭରେ ଅର ଲାଗି ହୋଇଛି ।
ତାଳଧ୍ବଜ ରଥର 5 ଟି ଅଖ, ଦେବଦଳନ ରଥର 3 ଟି ଅଖ, ନନ୍ଦିଘୋଷ ରଥର 5 ଟି ଅଖର ହଣାକାର୍ଯ୍ୟ ଚାଲୁ ରହିଛି । ସେହିପରି ତାଳଧ୍ବଜ ରଥର 5 ଟି ଯୋଖା ଶେଷ ହୋଇଥିବା ବେଳେ ଦେବ ଦଳନ ରଥର ଦୁଇଟି ଯୋଖା, ଶେଷ ହୋଇଛି ।
ନନ୍ଦିଘୋଷ ରଥର 16ଟି ଯୋଖା ତିଆରି ପାଇଁ କାଠ ଆସିଛି । ନିର୍ମାଣ ପାଇଁ ସୂତା କାମ ସରିଛି । ସେପଟେ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ସକାଳେ ରଥ ଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣ ସମ୍ପୃକ୍ତ ସେବକ ମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ