ପୁରୀ: ଲକଡାଉନର କଟକଣା ସତ୍ତ୍ବେ ଜାରି ରହିଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାମ। ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରଥଖଳାରେ ବାୟବବଲ୍ ବ୍ୟବସ୍ଥା ସହ ରଥନିର୍ମାଣ ଜାରି ରହିଛି।
ଆସନ୍ତା ଭଉଁରୀ ଅବସରରେ ତିନିରଥର ଦୁଇଟି ଲେଖାଏଁ ଚକ ସହ ଅଖ ସଂଯୋଗ କରିବା ପରମ୍ପରା ରହିଛି। ଏହି ପରମ୍ପରାକୁ ଦୃଷ୍ଟିରେ ରଖି ସୋମବାର ପ୍ରତ୍ୟେକ ରଥପାଇଁ ଅଖ ନିର୍ମାଣର ଶୁଭାରମ୍ଭ କରିଛନ୍ତି ବିଶ୍ବକର୍ମା ମହାରଣା।
ଏହାଛଡା ସମୁଦାୟ 42ଟି ଚକ ମଧ୍ୟରୁ 15ଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଅନ୍ୟ ଚକ ଗୁଡିକର ନିର୍ମାଣ ପାଇଁ ତୁମ୍ଵ କାର୍ଯ୍ୟ ସରିଥିବା ବେଳେ ସେଥିରେ ପହି ଓ ଅର ସଂଯୋଗ କରାଯାଉଛି। ସୋମବାର ସମୁଦାୟ ତିନୋଟି ରଥପାଇଁ ବିଭିନ୍ନ ବର୍ଗର 174 ଜଣ ସେବାୟତ ରଥ କାମରେ ନିୟୋଜିତ ଅଛନ୍ତି।
ସମୁଦାୟ 26 ଜଣ ରଥ ନିର୍ମାଣରେ ନିୟୋଜିତ ସେବାୟତ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 18 ଜଣ ସୁସ୍ଥ ହୋଇ ଫେରିଛନ୍ତି। ଅନ୍ୟ ଅସୁସ୍ଥ ମାନଙ୍କୁ ନୀଳାଚଳ କୋଭିଡ୍ କେୟାର ସେଣ୍ଟରରେ ଚିକିତ୍ସିତ କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରଥଯାତ୍ରା ପୂର୍ବରୁ ସମସ୍ତ ସେବାୟତଙ୍କର ଟୀକାକରଣ ଜାରି ରହିଛି ଓ ଖୁବଶୀଘ୍ର ଟୀକାକରଣ କାର୍ଯ୍ୟ ଶେଷ କରାଯିବ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ