ପୁରୀ: ଦିନକୁ ଦିନ ବଢୁଛି ଲୁଟେରାଙ୍କ ଲୁଟପାଟ । ପୁରୀ ଜିଲ୍ଲାରେ ବାଇକ ଲୁଟ ନେଇ ଗୋପ ଥାନାରେ ଅନେକ ଅଭିଯୋଗ ହୋଇଥିଲା । ଲୁଟେରାଙ୍କୁ କାବୁ କରିବାକୁ ଗୋପ ପୋଲିସ ଉଦ୍ୟମ ଆରମ୍ଭ କରିଥିଲା । ଘଟଣାରେ ସୋମବାର ଦୁଇଜଣ ଲୁଟେରାକୁ କାବୁ କରିଛି ଗୋପ ପୋଲିସ ।
ବାରମ୍ବାର ଗୋପ ଅଞ୍ଚଳରେ ବାଇକ ଚୋରିକୁ ନେଇ ଗୋପ ଥାନାରେ ଅଭିଯୋଗ ହୋଇଥିଲା । ଲୁଟେରାଙ୍କୁ କାବୁ କରିବାକୁ ଥାନା ଅଧିକାରୀ ସୁଧୀର କୁମାର ସାହୁଙ୍କ ନେତୃତ୍ବରେ ସବୁ ଛକରେ ବାରମ୍ବାର ଗାଡି ଯାଞ୍ଚ କରାଯାଉଥିଲା । ସୋମବାର ଥାନା ପକ୍ଷରୁ ବେଗୁନିଆ ଛକ ନିକଟରେ ସନ୍ଧ୍ୟା 6 ଟା ସମୟରେ ପୋଲିସ ପକ୍ଷରୁ ଗାଡି ଯାଞ୍ଚ କରାଯାଉ ଥିବାବେଳେ ଚେଙ୍ଗେଇଲ ଗ୍ରାମର ନିରଞ୍ଜନ ମଲିକ od 13 f 9463 ହିରୋ ଡିଲକ୍ସ ଗାଡିର ନମ୍ବର ପ୍ଲେଟରେ ଥିବା ନମ୍ବର ଏକ ପ୍ୟାସନ୍ ପ୍ରୋ ଗାଡିର ବୋଲି ଜଣା ପଡିଥିଲା । ଏହା ପରେ ପୋଲିସ ନିରଞ୍ଜନଙ୍କୁ ଥାନାକୁ ଆଣି ଅଧିକ ପଚରାଉଚରା କରିଥିଲା ।
ଜେରା କରିବା ପରେ ବାଇକ ଲୁଟ ବାପା ପୁଅ ମିଶି କରୁଥିବାର ନିରଞ୍ଜନ ନିଜ ମୁହଁରେ ସ୍ବୀକାର କରିଥିଲା । ନିରଞ୍ଜନଙ୍କ ବୟାନ ଅନୁଯାୟୀ ପୁଅ ଦୀପକ ମଲ୍ଲିକ ସେହି ଅଞ୍ଚଳରେ ବିଭିନ୍ନ ବ୍ୟକ୍ତିଙ୍କୁ ଚୋରା ବାଇକୁ ଗ୍ୟାରେଜରେ ରଙ୍ଗ ଓ ଡିଜାଇନ ପରିବର୍ତ୍ତନ କରି ବିକ୍ରି କରୁଥିବା ଘଟଣା ସାମ୍ନାକୁ ଆସିଛି ।
ତେବେ ଏହି ଘଟଣାରେ ନିରଞ୍ଜନଙ୍କ ସହ ସଂପୃକ୍ତ ଥିବା ସେହି ଗ୍ରାମର ସୁକାନ୍ତ କୁମାର ମଲିକକୁ ମଧ୍ୟ ଗିରଫ କରିବା ସହ ଚାରିିଟି ବାଇକ ଜବତ କରିଛି ପୋଲିସ । ଗିରଫ ଦୁଇଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଫେରାର ନିରଞ୍ଜନଙ୍କ ପୁଅକୁ ଧରିବା ପାଇଁ ଅନୁସନ୍ଧାନ ଜାରି ରଖିଛି ପୋଲିସ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ