ପୁରୀ: ପାରିବାରିକ କଳହ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଭଣଜାକୁ ହତ୍ୟା କରିଥିଲା ସମ୍ପର୍କୀୟ ମାମୁଁ । ପୁରୀ ନରେନ୍ଦ୍ର କୋଣ ଜଟିଆ ବାବାଜୀ ଛକରେ ଲଡ଼ୁ ନାୟକ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରିଛି କୁମ୍ଭାରପଡ଼ା ଥାନା ପୋଲିସ । ପାରିବାରିକ କଳହ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଅଭିଯୁକ୍ତ ସମ୍ପର୍କୀୟ ମାମୁଁ ଓ ତାଙ୍କ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି କୁମ୍ଭାରପଡ଼ା ଥାନା ପୋଲିସ ।
ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ହରିଜନ ବସ୍ତିର ଗଙ୍ଗା ନାୟକ ଓ ସୁନ୍ଦନ ନାୟକ । ବୁଧବାର ବିଳମ୍ବିତ ରାତିରେ ଏହି 2 ଅଭିଯୁକ୍ତଙ୍କୁ ପୋଲିସର ଏକ ଟିମ୍ ଗିରଫ କରିଥିଲା । ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଗୋଟିଏ ଲୁହା ରଡ୍ ଓ ଚିମୁଟା ଜବତ କରିଛି ପୋଲିସ । ତେବେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଗଙ୍ଗାର ଆଉ ଜଣେ ପୁଅ ଅଭିଯୁକ୍ତ ଛଚି ନାୟକ ଏବେବି ଫେରାର ଅଛି । ଅଭିଯୁକ୍ତ ଛଚିକୁ ଧରିବା ପାଇଁ ପୋଲିସର ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ କହିଛନ୍ତି ।
ଅଧିକ ପଢନ୍ତୁ: ପୁରୀରେ ଯୁବକଙ୍କୁ ନିର୍ମମ ହତ୍ୟା, ଜଣେ ଅଟକ
ସେପଟେ ପୁଣି ପୁରୀରୁ ଜବତ ହେଲା ବ୍ରାଉନ ସୁଗାର । 4 ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁରୀ ପୋଲିସ । କୁମ୍ଭାରପଡ଼ା ଓ ତାଳବଣିଆ ଥାନା ପୋଲିସ ବାନାମ୍ବର ଛକ ଓ ହୁଳୁହୁଳିଆ ବ୍ରିଜରେ ଚଢ଼ାଉ କରି ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୧୭ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ଏଥିସହ ଦୁଇଟି ମୋବାଇଲ, ଗୋଟିଏ କେଟିଏମ୍ ବାଇକ୍ ଓ ନଗଦ ୪୨୦୦ ଟଙ୍କା ଜବତ କରିଛି ପୋଲିସ ।
ଜବତ ବ୍ରାଉନ ସୁଗାରର ଆନୁମାନିକ ବଜାର ମୂଲ୍ୟ ୧ ଲକ୍ଷ ୭୦ ହଜାର ଟଙ୍କା ହେବ ବୋଲି ପୋଲିସ ଅନୁମାନ କରିଛି । ଗିରଫ ଅଭିଯୁକ୍ତ ହେଉଛନ୍ତି ମାନସ ରାଓ, ଆଶୁତୋଷ ବେହେରା, କୃଷ୍ଣଚନ୍ଦ୍ର ନାଥ ଓ ସରୋଜ ପଟ୍ଟନାୟକ । ତେବେ ଏହି ଅଭିଯୁକ୍ତଙ୍କ ପୋଲିସ ଗତକାଲି ଗିରଫ କରି କୋର୍ଟ ଚାଲାଣ କରିଛି କରିଥିବା ଡିସପି ସୂଚନା ଦେଇଛନ୍ତି । ସହରକୁ ଅପରାଧ ମୁକ୍ତ ସହ ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ପୁରୀ ପୋଲିସ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଉଥିବା ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ପୁରୀ