ପୁରୀ: ଆସନ୍ତା 7 ତାରିଖରେ ଅନୁଷ୍ଠିତ ହେବ ଚନ୍ଦ୍ରଭାଗାରେ ମାଘମେଳା । ଏନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁରୀ ଜିଲାପାଳ ସମର୍ଥ ବର୍ମା । କୋଣାର୍କ ଚନ୍ଦ୍ରଭାଗା ପବିତ୍ର ପୁଷ୍କରିଣୀଙ୍କୁ ଆସୁଥିବା ତିନି ଠାକୁରଙ୍କ ବୁଡ ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଯାଇଛି ।
ପୁଷ୍କରିଣୀ ଖନନ ସହିତ ବାରିକେଟ୍ କାର୍ଯ୍ୟ କରାଯାଇଛି । କୋଭିଡ୍ କଟକଣାକୁ ଆଖିଆଗରେ ରଖି ମେଳା ପଡିଆ ସହ ଚନ୍ଦ୍ରଭାଗା ଠାରେ 6 ଏବଂ 7 ତାରିଖରେ 144 ଧାରା ଲାଗୁ କରାଯାଇଛି । ଏବର୍ଷ କୋଭିଡ୍ କଟକଣା ଯୋଗୁଁ ଶ୍ରଦ୍ଧାଳୁଙ୍କୁ ବୁଡ ପକାଇବାକୁ ବାରଣ କରାଯାଇ ଥିବାବେଳେ ପ୍ରଶାସନିକ ଅଧିକାରୀ, ସେବାୟତ, ସାଧୁସନ୍ଥ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଯିବା ପାଇଁ ଅନୁମତି ରହିଛି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଚନ୍ଦ୍ରଭାଗା ମେଳା ପଡ଼ିଆରେ ପହଞ୍ଚି ସମସ୍ତ କାର୍ଯ୍ୟ ଅନୁଧ୍ୟାନ କରିଥିବା ଦେଖିବାକୁ ମିଳିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ