ପୁରୀ: ଲକଡାଉନ ହଟିବା ପରେ ରାଜ୍ୟରେ ସ୍ବାଭାବିକ ହେଉଛି ବସ ଚଳାଚଳ । ବୁଧବାର ପୁରୀରୁ ଘରୋଇ ବସ ଚଳାଚଳ ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ଅନୁମତି ପରେ କୋଭିଡ ଗାଇଡ଼ ଲାଇନକୁ ପାଳନ କରାଯାଇ ଯାତ୍ରୀବାହି ବସ ସେବା ଆରମ୍ଭ ହୋଇଛି । ତେବେ ପୁରୀରୁ ଭୁବନେଶ୍ବର ଓ କଟକ ପାଇଁ 2-3 ଟି ବସ ପ୍ରାରମ୍ଭିକ ଭାବେ ଚଳାଚଳ ଆରମ୍ଭ କରିଛି । କୋଭିଡ ମହାମାରୀ ଭୁତାଣୁ ଭୟ ଯୋଗୁଁ ଏବେବି ଯାତ୍ରୀ ବସରେ ଯିବାକୁ ନିରାପଦ ମଣୁ ନଥିବା ହେତୁ ବସରେ ଯାତ୍ରୀ ସଂଖ୍ୟା କମ ରହିଛି ।
ଅଗାମୀ ଦିନରେ ସ୍ୱାଭାବିକ ଅବସ୍ଥାକୁ ବସ ସେବା ଫେରିବ ବୋଲି ବସ ମାଲିକ ସଂଘ ଆଶା ରଖିଛି । କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ଉଭୟ ବସ କର୍ମଚାରୀ ଓ ଯାତ୍ରୀ ମାସ୍କ ବ୍ୟବହାର ସହ ସାନିଟାଇଜର ବ୍ୟବହାର ଯାତ୍ରା ସମୟରେ କରିବା ପାଇଁ ବସ ମାଲିକ ସଂଘ ପକ୍ଷରୁ ବ୍ୟବସ୍ଥା ହୋଇଛି । ବସ ସେବା ଆରମ୍ଭ ହୋଇଥିବା ହେତୁ ଯାତ୍ରୀ ଓ ବସ କର୍ମଚାରୀ ଖୁସି ପ୍ରକଟ କରିଛନ୍ତି ।
ଦୀର୍ଘ 5 ମାସ ହେବ ଯାତାୟାତରେ ଅସୁବିଧା ଦୂର ହେବ ବୋଲି ଯାତ୍ରୀ କହିଛନ୍ତି । ସେହିପରି ବସ କର୍ମଚାରୀ ମଧ୍ୟ ବସ ଚାଲିଲେ ଦୁଇ ପଇସା ରୋଜଗାର ହେଲେ ତାଙ୍କ ପରିବାର ମଧ୍ୟ ପ୍ରତିପୋଷଣ ହେବ ବୋଲି ବସ କର୍ମଚାରୀ କହିଛନ୍ତି । ଦୀର୍ଘ 5 ମାସ ହେବ ବସ ସେବା ବନ୍ଦ ଥିବାରୁ ବସ କର୍ମଚାରୀମାନେ ରୋଜଗାର ହରାଇ ବେଶ ହନ୍ତସନ୍ତରେ ଥିଲେ । ହେଲେ ବସ ସେବା ଆରମ୍ଭ ହୋଇଥିଲେ ମଧ୍ୟ ବସରେ ବହୁତ କମ ଯାତ୍ରୀ ଯାତାୟାତ କରୁଛନ୍ତି । କୋଭିଡ ସଂକ୍ରମଣ ଭୟକୁ ନେଇ ଯାତ୍ରୀ କମ ଥିବା ଦେଖାଦେଇଛି ।
ଗତ ମର୍ଚ୍ଚରୁ ଲକଡାଉନ ଠାରୁ 5 ମାସ ପର୍ଯ୍ୟନ୍ତ ବସ ସେବା ବନ୍ଦ ରହିଥିଲା । ତେବେ ପୁରୀରେ 4 ସହରରୁ ଅଧିକ ବସ ଥିବା ବେଳେ ଏହାର 5 ହଜାରରୁ ଅଧିକ କର୍ମଚାରୀ ଅଛନ୍ତି । ବସ ସେବା ଆରମ୍ଭ ହୋଇଥିବାରୁ ସେମାନେ ପୁଣି ଦୈନନ୍ଦିନ ଜୀବନଯାପନ ଭଲରେ କରିବେ ବୋଲି ଆଶା କରାଯାଉଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ