ପୁରୀ: ପିପିଲି ଡେଲାଙ୍ଗ ଅଞ୍ଚଳରେ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର 67 କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ତେବେ ଏହାକୁ କଡା ସମାଲୋଚନା କରିଛି ପୁରୀ ଜିଲ୍ଲା କଂଗ୍ରେସ । ପିପିଲି ଡେଲାଙ୍ଗ ଅଞ୍ଚଳ ପାଇଁ ମାତ୍ର 67 କୋଟି ଟଙ୍କା ସମୁଦ୍ରକୁ ଶଙ୍ଖେ ଭଳି ବୋଲି ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଅଜିତ ମଙ୍ଗରାଜ କହିଛନ୍ତି ।
ସେହିପରି ଯୁବକଙ୍କ ରୋଜଗାର ପାଇଁ କୌଣସି ଘୋଷଣା ହୋଇନାହିଁ । ଯେଉଁ ପ୍ରକଳ୍ପ ପାଇଁ ପ୍ୟାକେଜ ଘୋଷଣା ହୋଇଛି ତାହା ସବୁ ପୁରୁଣା ପ୍ରକଳ୍ପ । ପୂର୍ବରୁ ଏହା ଘୋଷଣା ହୋଇଥିବାବେଳେ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ । ପୁଣି ଆଗାମୀ ଉପନିର୍ବାଚନ ପାଇଁ ଲୋକଙ୍କୁ ଭୁଆଁ ବୁଲାଇବାକୁ ମୁଖ୍ୟମନ୍ତ୍ରୀ ଏହି ପ୍ୟାକେଜ ଘୋଷଣା କରିଥିବା ପୁରୀ ଜିଲ୍ଲା କଂଗ୍ରେସ ଅଭିଯୋଗ କରିଛି । ତେବେ ପିପିଲିବାସୀ ସବୁ ଚାଲାଖି ବୁଝି ସାରିଲେଣି । ଏଣିକି ଉପଯୁକ୍ତ ଜବାବ ଦେବେ ବୋଲି କହିଛି କଂଗ୍ରେସ ।
ସେପଟେ ପୁରୀ ଜିଲ୍ଲା ବିଜେପି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଓ ସଭା ଆୟୋଜନକୁ ନେଇ ସମାଲୋଚନା କରିଛି । ସରକାର କୋଭିଡ ଗାଇଡ଼ଲାଇନ କଟକଣା ଜୋରଦାର କରିଥିବାବେଳେ ବିଜେଡି କାର୍ଯ୍ୟକ୍ରମରେ ଏହାର ଖୋଲା ଉଲ୍ଲଙ୍ଘନ ହେଉଛି । ହଜାର ହଜାର ଲୋକ ସଭାରେ ଉପସ୍ଥିତ ରହୁଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜରେ କୌଣସି ନୂତନ ପ୍ରକଳ୍ପ ନାହିଁ। ପୂର୍ବ ଘୋଷିତ ପ୍ରକଳ୍ପକୁ ପୁଣି ନୂଆ ପ୍ରକଳ୍ପ ନାମ ଦେଇ ପ୍ୟାକେଜ ଘୋଷଣା କରାଯାଇଛି । ଆଗାମୀ ନିର୍ବାଚନରେ ଲୋକେ ଜବାବ ଦେବେ ବୋଲି ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ