ପୁରୀ: ମଙ୍ଗଳାଘାଟରେ ନିର୍ମାଣ ଚାଲିଛି ସମଙ୍ଗ କୃଷକ ବଜାର। ତେବେ ଏହି କୃଷକ ବଜାର ନିର୍ମାଣକୁ ନେଇ ବିସ୍ଥାପିତ ହୋଇଥିବା ୨୧ଜଣ ପରିବାରକୁ ଜମି ଦେବା ନାଁରେ ଭୂଆଁ ବୁଲାଉଛି ପ୍ରଶାସନ। କେତେକ ବ୍ୟକ୍ତିଙ୍କୁ ଜାଗା ମିଳିଥିଲେ ମଧ୍ୟ ସେହି ଜାଗା ଅନ୍ୟ ବ୍ୟକ୍ତିଙ୍କ ନାଁରେ ରହିଛି ।
ପୁରୀ ସହରର ଗରିବ ଗ୍ରୀନ କାର୍ଡ ଓ ଭୂମିହୀନ ଗରିବ ଲୋକମାନେ ସରକାରୀ ପଟ୍ଟା ପାଇଥିଲେ ମଧ୍ୟ ନିଜ ଜମିକୁ ନିଜ ଅଧିନକୁ ଆଣି ପାରୁନାହାଁନ୍ତି। ପୁରୀ ପ୍ରଶାସନର କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଯୋଗୁଁ ଏହି ନିରୀହ ଗରିବ ଲୋକମାନେ ନିଜ ଜମି ହରାଇ ମାନସିକ ଦୁଶ୍ଚିନ୍ତାରେ ଏବେ ଦିନ କାଟୁଛନ୍ତି। ନ୍ୟାୟ ପାଇଁ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ କଲେ ମଧ୍ୟ ଏଥିପ୍ରତି କୌଣସି ଅଧିକାରୀ କର୍ଣ୍ଣପାତ କରୁନାହାନ୍ତି। ଯାହାକୁ ନେଇ ଅସନ୍ତୋଷ ବଢୁଥିବା ବେଳେ ଜମି ନମିଳିଲେ ଆନ୍ଦୋଳନ ଜୋରଦାର ହେବ ବୋଲି ବିସ୍ଥାପିତ ମାନେ ଚେତାବନୀ ଦେଇଛନ୍ତି। ତେବେ ସବୁଠାରୁ ବଡ଼କଥା ହେଉଛି ତତ୍କାଳୀନ ଆରଆଇ ଏହି ଗରିବ ଲୋକଙ୍କୁ ଜମି ଦେବା ନାଁରେ ଏମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ ୧୯୯୯ ମସିହାରେ ମଙ୍ଗଳାଘାଟ ନିକଟ ସମଙ୍ଗ ମଉଜାର ଖାତା ନଂ ୧୧୬୧ ଓ ପ୍ଲଟ ନଂ ୧୭୪୭ କୁ ଚାରି ଡେସିମିଲି ଲେଖାଏଁ ୨୧ ଜଣ ଭୂମିହୀନ ଓ ସବୁଜ ପତ୍ରିକାଧାରୀଙ୍କୁ ସରକାରୀ ଜାଗା ଦିଆଯାଇଥିଲା। କିନ୍ତୁ ୨୦୧୮ ମସିହାରେ ଏଠାରେ କୃଷକ ବଜାର ନିର୍ମାଣ ନେଇ ସରକାରଙ୍କ ନିଷ୍ପତ୍ତି ପରେ ବିସ୍ଥାପିତଙ୍କୁ ଉପଯୁକ୍ତ ଜମି ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। ତେବେ ଉପଯୁକ୍ତ ଜମି ଯୋଗାଇବା ତ ଦୂରର କଥା ପ୍ରଶାସନର କିଛି ଅସାଧୁ ଅଧିକାରୀ ଓ କର୍ମଚାରୀ ଜମି ଦେବା ନାଁରେ ୨୧ ଜଣ ପରିବାରଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି। ଉପଯୁକ୍ତ ଜମି ଦେବା ପରିବର୍ତ୍ତେ ଅନ୍ୟ ମାଲିକାନାରେ ଥିବା ଏକ ଜମିକୁ ପଟ୍ଟା କରାଇ ଏହି ଗରିବ ବିସ୍ଥାପିତଙ୍କୁ ବଣ୍ଟା ଯାଇଛି।
ସେପଟେ ବିସ୍ଥାପିତମାନେ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେବା ପରେ ଉପଜିଲ୍ଲାପାଳଙ୍କୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଜିଲ୍ଲାପାଳ। ଗରିବ ଭୂମିହୀନ ବ୍ୟକ୍ତିମାନେ ସରକାରଙ୍କ ଠାରୁ ସ୍ଥିତିବାନ ଜମି ପାଇବା ପରେ ବେଶ୍ ଖୁସି ହୋଇ ଯାଇଥିଲେ। କିନ୍ତୁ ପୁରୀ ପ୍ରଶାସନର କିଛି ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ଯୋଗୁଁ ନିଜର ସ୍ଥିତିବାନ ଜମି ହରାଇ ଏହି ଗରିବ ବିସ୍ଥାପିତ ଲୋକେ ଏବେ ଅସହାୟ ହୋଇପଡିଛନ୍ତି । ତେବେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଜିଲ୍ଲାପାଳ ଦେଇଥିବାବେଳେ କେବେ ଏହି ଭୂମିହୀନମାନେ ନିଜର ଜମି ଫେରି ପାଇବେ ତାକୁ ହିଁ ଅପେକ୍ଷା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ