ପୁରୀ: ଶ୍ରୀକ୍ଷେତ୍ର ବଗଲା ଧର୍ମଶାଳାକୁ ବିକ୍ରି କରିଦେବା ଖବର ସମ୍ପୂର୍ଣ୍ଣ ବିଭ୍ରାନ୍ତିକର ବୋଲି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ଏନେଇ ବିଭିନ୍ନ ସ୍ତରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଏହି ଜମି ବିକ୍ରି ନେଇ ପୂର୍ଣ୍ଣ ତଥ୍ୟ ଜିଲ୍ଲା ପ୍ରଶାସନ ଏକ ପ୍ରେସ ବିବୃତି ଜରିଆରେ ଦେଇଛି ।
ପ୍ରଶାସନ ଦେଇଥିବା ତଥ୍ୟ ଅନୁଯାୟୀ ବଗଲା ଧର୍ମଶାଳାର ମୁଖ୍ୟ କୋଠାକୁ ଏଯାବତ କାହାକୁ ବିକ୍ରି କରାଯାଇନାହିଁ। ପ୍ରାୟ ୨ ଏକର ୭୩୫ ଡେସିମିଲ ଜମିରୁ ମାତ୍ର ୧୨ ପ୍ରତିଶତ ଜମି ବିସ୍ଥାପିତ ସେବାୟତ ଓ ଜମି ହରାଇଥିବା ବ୍ୟକ୍ତିଙ୍କୁ ଦିଆଯାଇଛି। ଶ୍ରୀମନ୍ଦିର ଚତୁପାର୍ଶ୍ବ ୭୫ ମିଟର ଅଞ୍ଚଳରେ ଶତାଧିକ ବର୍ଷ ଧରି ଥିବା ସେବାୟତ ନିଯୋଗକୁ ମାତ୍ର ୨ ଏକର ୭୩୫ ଡିସିମିଲି ଜମି ମଧ୍ୟରୁ ୩୪ ଡିସିମିଲି ଜମି ବ୍ୟବହାର ପାଇଁ ଦିଆଯାଇଛି ।
ବଗଲା ଧର୍ମଶାଳାରେ କେବଳ ୨ ଶହ ତୀର୍ଥଯାତ୍ରୀଙ୍କ ରହିବାର ବ୍ୟବସ୍ଥା ରହିଥିଲା। କିନ୍ତୁ ରାଜ୍ୟ ସରକାର ଗରୀବ ତୀର୍ଥଯାତ୍ରୀ ପାଇଁ ପ୍ରାୟ ୧୦ ହଜାର ଭକ୍ତ ରହିବାର ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ରାଜ୍ୟ ସରକାରଙ୍କ ପୁନଃବାସ ଓ ଥଇଥାନ ନୀତି ଅନୁଯାୟୀ ଏହି ଜମି ଦେବା କାର୍ଯ୍ୟ ରାଜ୍ୟ କ୍ୟାବିନେଟ ଦ୍ବାରା ଅନୁମୋଦିତ ଓ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଏହା ଜରୁରୀ ଅଟେ । ବଗଲା ଧର୍ମଶାଳାର ଏହି ଜମି ପୂର୍ବରୁ ଲଜିଂ ହାଉସ ଫଣ୍ତ କମିଟି ନାମରେ ରହିଥିଲା । ଏହି ସଂସ୍ଥା ଉଛେଦ ହେବାପରେ ଜମି ରାଜସ୍ବ ବିଭାଗ ନାମରେ କରାଯାଇଛି ।