ପୁରୀ: 4ର୍ଥ ପର୍ଯ୍ୟାୟ ମତଦାନରେ ପୋଲିଂ ଅଫିସରଙ୍କ ବିରୋଧରେ ଆସିଛି ଅଭିଯୋଗ । ପୋଲିଂ ଅଫିସର ଏକ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବା ପାଇଁ ଭୋଟରଙ୍କୁ ପ୍ରଭାବିତ କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ନିମାପଡା ନିର୍ବାଚନ ମଣ୍ଡଳୀର 127 ନମ୍ବର ବୁଥ ତଥା ଆଳସି ୟୁପି ସ୍କୁଲ ବୁଥରୁ । ଏନେଇ ସ୍ଥାନୀୟ ଭୋଟଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ତେଜନା ।
ସୂଚନା ଅନୁସାରେ ନିମାପଡା ନିର୍ବାଚନ ମଣ୍ଡଳୀର 127 ନମ୍ବର ବୁଥରେ ପୋଲିଂ ଅଫିସର କିଛି ଭୋଟରଙ୍କୁ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବା ପାଇଁ ଉସୁକାଉଥିଲେ । ଏନେଇ ଅନ୍ୟାନ୍ୟ ଭୋଟର ସେଠାରେ ଉତ୍ତେଜନା ସୃଷ୍ଟି କରିଥିଲେ । ତେବେ ଖବର ପାଇଁ ଉକ୍ତ ପୋଲିଂ ଅଫିସରକୁ ପୋଲିସ ଉଦ୍ଧାର କରିଥିବା ବେଳେ ତାଙ୍କୁ ନିର୍ବାଚନ କାର୍ଯ୍ୟରୁ ନିବୃତ କରାଯାଇଥିବା ଜଣାପଡ଼ିଛି ।
ଉକ୍ତ ପୋଲିଂ ଅଫିସର ଜଣକ ହେଲେ ବି.କେ. ଦେଓ । ସେ ଦ୍ବିତୀୟ ପୋଲିଂ ଅଫିସର ଭାବେ 127 ନମ୍ୱର ବୁଥରେ ନିୟୋଜିତ ହୋଇଥିଲେ । ତେବେ ପୋଲିଂ ଅଫିସରଙ୍କ ଏଭଳି ବେଆଇନ କାର୍ଯ୍ୟକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ କର୍ମୀ ତୀବ୍ର ପ୍ରତିବାଦ କରିଥିଲେ ।
ପୁରୀରୁ ଶକ୍ତି ପ୍ରାସାଦ ମିଶ୍ର, ଇଟିଭି ଭାରତ