ପୁରୀ: ଗଣତନ୍ତ୍ରରେ ଜନତା ହିଁ ଶ୍ରେଷ୍ଠ । ଲୋକଙ୍କ ସେବା ହିଁ ସରକାର । ଏହି ଲୋକଙ୍କ ସେବା ପାଇଁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ସରକାରଙ୍କ 5-ଟିକୁ ଭିତ୍ତି କରି 'ମୋ ସରକାର' ଯୋଜନାର ଆରମ୍ଭ ହୋଇଛି । ଏହି ଯୋଜନାରେ ଥାନାରେ କିମ୍ବା ଡାକ୍ତରଖାନାରେ ଲୋକମାନେ କିଭଳି ସୁବିଧା ପାଉଛନ୍ତି ସେ ନେଇ ମୁଖ୍ୟମନ୍ତ୍ରୀ ସିଧାସଳଖ କଥା ହୋଇପାରିବେ ।
ଏହି କ୍ରମରେ ସମସ୍ତ ଥାନାର ଥାନାଧିକାରୀଙ୍କୁ ଲୋକଙ୍କ ସହ ଭଲ ବ୍ୟବହାର କରିବାକୁ କୁହାଯାଇଛି । ଏତେ ସବୁ ନିୟମ ପରେ ବି ପୁରୀ ପୋଲିସକୁ ଡାଏଲ 100ରେ ଫୋନ କରିଥିବା ଜଣେ ଅଭିଯୋଗକାରୀଙ୍କୁ ପୋଲିସ କର୍ମଚାରୀ ଦୁର୍ବ୍ୟବହାର କରିଛନ୍ତି । ତାଙ୍କ ବିରୋଧରେ ଥାନାରେ ଅଭିଯୋଗ ପରେ ପୁରୀ ଏସପି ଉମାଶଙ୍କର ଦାସ ଉକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଦୁର୍ବ୍ୟବହାର କରିଥିବା ପୋଲିସ କନଷ୍ଟେବଳ ସୁଶାନ୍ତ ଭୁଜବଳଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ।
ଆଗାମୀ ଦିନରେ ଥାନାର କୌଣସି କର୍ମଚାରୀ ଲୋକଙ୍କୁ ଖରାପ ବ୍ୟବହାର କଲେ କଡା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପୁରୀ ଏସପି ସ୍ପଷ୍ଟ କରିଛନ୍ତି । ଏଥିସହିତ ଲୋକଙ୍କ ସହ ପୋଲିସ କର୍ମଚାରୀ କିଭଳି ଭଲ ବ୍ୟବହାର ଦେଖାଇବେ ସେ ନେଇ ଏକ ତାଲିମ କାର୍ଯ୍ୟକ୍ରମ ହେବ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ