ପୁରୀ: ଦେଶରେ ଟିକା ଡୋଜ ନେବାର ବ୍ୟବଧାନ ଅବଧି କେନ୍ଦ୍ର ସରକାର ବାରମ୍ବାର ବଢାଉଛନ୍ତି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ ସୃଷ୍ଟି ହୋଇଛି । ପ୍ରଥମେ କୋଭିଡ ଟିକାର ଦ୍ବିତୀୟ ଡୋଜ ସମୟ ଅବଧି 28 ଦିନ ଥିଲା । ପରେ ଏହା 6 ରୁ 8 ସପ୍ତାହ ଓ ପରେ ପୁଣି 12 ରୁ 16 ସପ୍ତାହ ତଥା 84 ଦିନ ବ୍ୟବଧାନ ରହିବା ଉଚିତ ବୋଲି କେନ୍ଦ୍ର କରିଛି । ବାରମ୍ବାର ବ୍ୟବଧାନ ଅବଧି ବୃଦ୍ଧି ନେଇ ପୁରୀ ଶ୍ରୀଜଗନ୍ନାଥ ସେନା ଅସନ୍ତୋଷ ଜାହିର କରିବା ସହ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଛି । ତୁରନ୍ତ ସୁପ୍ରିମକୋର୍ଟ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରି ଦ୍ବିତୀୟ ଡୋଜ ନେବାର ପ୍ରକୃତ ସମୟ ଅବଧି ଲୋକଙ୍କୁ ସଠିକ ଭାବେ ଅବଗତ କରାଇବା ନେଇ ସୁପ୍ରିମକୋର୍ଟକୁ ଅନୁରୋଧ କରିଛି ଜଗନ୍ନାଥ ସେନା ।
ଶ୍ରୀଜଗନ୍ନାଥ ସେନା କହିଛି ଯେ ପ୍ରଥମେ କୋଭିଡ ଟିକାର ଦ୍ବିତୀୟ ଡୋଜ ସମୟ 28 ଦିନ ଥିବାବେଳେ ଏବେ ଏହି ବ୍ୟବଧାନ 84 ଦିନ ରହିବା ଉଚିତ୍ ବୋଲି ସରକାର କହିଛନ୍ତି । ଯାହାଫଳରେ 28 ଦିନରେ ଦ୍ବିତୀୟ ଡୋଜ ନେଇଥିବା ବ୍ୟକ୍ତି ଏବେ ଟିକା କାର୍ଯ୍ୟକାରିତାକୁ ନେଇ ଦ୍ବନ୍ଦ ଓ ଭୟଭୀତ ଅଛନ୍ତି । ଯଦି 84 ଦିନ ଭିତରେ ଦ୍ବିତୀୟ ଡୋଜ ନେବା ଭଲ ତେବେ 28 ଦିନରେ କାହିଁକି କୋଟି କୋଟି ଲୋକଙ୍କୁ ଦ୍ବିତୀୟ ଡୋଜ ଦିଆଗଲା ସେନେଇ ସେନା ପ୍ରଶ୍ନ କରିଛି ।
ସେହିପରି ବିଦେଶକୁ ଯାଉଥିବା ବ୍ୟକ୍ତିଙ୍କୁ କୋଭିଡ ଟିକାର ଦ୍ବିତୀୟ ଡୋଜ 84 ଦିନ ପରିବର୍ତ୍ତେ 28 ଦିନରେ ନେଇପାରିବେ ବୋଲି କେନ୍ଦ୍ର ସରକାର କହିଛନ୍ତି । ସେପଟେ ଶ୍ରୀମନ୍ଦିର ସେବାୟତଙ୍କୁ 28 ଦିନରେ ଦ୍ବିତୀୟ ଡୋଜ ଦିଆଯାଇଛି । ଏଣୁ ଦ୍ବିତୀୟ ଡୋଜ ଟିକା ନେଇ ଯେଉଁ କ୍ରିନିକାଲ ଟ୍ରାଏଲ ହୋଇଛି ଏବଂ ଯାହାକୁ ଭିତ୍ତି କରି କେନ୍ଦ୍ର ସରକାର ଯେଭଳି ନିଷ୍ପତ୍ତି ନେଉଛନ୍ତି ଓ ବଦଳାଉଛନ୍ତି ସେହି ଟ୍ରାଏଲର ତଥ୍ୟ ପ୍ରମାଣ ସୁପ୍ରିମକୋର୍ଟ କେନ୍ଦ୍ରକୁ ମାଗିବାକୁ ଶ୍ରୀଜଗନ୍ନାଥ ସେନା ପିଟିସିନରେ ଅନୁରୋଧ କରିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ