ବ୍ରହ୍ମଗିରି: ପ୍ରଳୟଙ୍କରୀ ବାତ୍ୟା ଫନିରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି ବ୍ରହ୍ମଗିରି ବ୍ଲକ । କେନ୍ଦ୍ର ସରକାର କୋଟି କୋଟି ଟଙ୍କାର ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । କିନ୍ତୁ ଏହି ସହାୟତା ଉପଯୁକ୍ତ ହିତାଧୀକାରୀଙ୍କୁ ମିଳିପାରୁନାହିଁ । ସହାୟତା ରାଶିରେ ହେଉଛି ଘୋଟାଲା । ସରକାରୀ ବାବୁ ମାନେ ଲାଞ୍ଚ ନେଉଥିବାର ଅଭିଯୋଗ ହୋଇଛି ।
ବାତ୍ୟା ଫନିକୁ 200 ଦିନରୁ ଊର୍ଦ୍ଧ୍ବ ସମୟ ବିତି ଗଲାଣି । ସରକାରୀ ବାବୁ ମାନେ ତାଲିକା ପ୍ରସ୍ତୁତ ବେଳେ ଲାଞ୍ଚ ନେଇ ଏଥିରେ ହେରଫେର କରିଥିବା ଅଭିଯୋଗ ହୋଇଛି । ପ୍ରଳୟଙ୍କରୀ ବାତ୍ୟା ଫୋନି ଵ୍ରହ୍ମଗିରିରେ ତାଣ୍ଡବ ରଚିଥିଲା ବେଳେ ଏହାର କରାଳ ରୂପରୁ କେହି ବର୍ତ୍ତି ନଥିଲେ । ଚାଳ ଅବା ଅଜବେଷ୍ଟସ ଘର ଗୁଡ଼ିକ ସମ୍ପୂର୍ଣ ଭାଙ୍ଗି ଯାଇଥିଲା । ଲୋକେ ମୁଣ୍ଡ ଗୁଞ୍ଜିବା ପାଇଁ ପାଖରେ ଥିବା ସ୍କୁଲ ଓ ବାତ୍ୟା ଆଶ୍ରୟ ସ୍ଥଳକୁ ଚାଲି ଯାଇଥିଲେ ।
ସରକାରଙ୍କ ଘୋଷଣା ଅନୁଯାୟୀ, ଯେଉଁମାନଙ୍କ ଘର ବାତ୍ୟାରେ ଭାଙ୍ଗି ଯାଇଥିବ ସେହି ପରିବାରଙ୍କୁ 95 ହଜାର ଟଙ୍କା ଓ ପରେ ଏକ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ । ତେଣୁ କ୍ଷୟକ୍ଷତିର ଆକଳନ ଓ ତାଲିକା ପ୍ରସ୍ତୁତ ପାଇଁ ବ୍ଲକ ଓ ତହସିଲ କର୍ମଚାରୀମାନେ ଗାଁ ରୁ ଗାଁ ବୁଲି ତାଲିକା ପ୍ରସ୍ତୁତ କଲେ । ବ୍ଲକର ଅଧିକାଂଶ ଗ୍ରାମରେ ଘର ଭାଙ୍ଗିଥିବା ପାରିବାରର ନାମ ତାଲିକାରେ ନଥିବା ବେଳେ କୋଠା ଘର, ଚାକିରିଆ ଓ ଗୋଟିଏ ପାରିବାରର ଏକାଧିକ ବ୍ୟକ୍ତିଙ୍କ ନାମ ଥିବା ଦେଖିବାକୁ ମିଳିଛି । ଅଭିଯୋଗ ହେବାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, ସାନି ତଦାରଖ କରାଯାଇଛି । ଯେଉଁ କର୍ମଚାରୀ ମାନେ ପୁର୍ବରୁ ତାଲିକା ପ୍ରସ୍ତୁତ କରିଥିଲେ ସେହି କର୍ମଚାରୀ ମାନେ ଏବେ ସାନି ତଦାରଖ କରୁଛନ୍ତି । ଏଥିରେ କେତେ ସ୍ୱଚ୍ଛତା ହେବ ତାହା ଦେଖିବାକୁ ବାକି ରହିଲା ।
ବ୍ରହ୍ମଗିରିରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ