ପୁରୀ: ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ବିଶୃଙ୍ଖଳାକୁ ନେଇ ସେବାୟତଙ୍କୁ ନୋଟିସ ଜାରି କରାଯାଇଛି । ତେବେ ଏକାଧିକ ସେବାୟତଙ୍କୁ ନୋଟିସ ଜାରି ହୋଇ ଥିବା ବେଳେ ଜଣକୁ ଶ୍ରୀମନ୍ଦିର ପ୍ରଶାସନ ନିଲମ୍ବିତ କରିଛି । ବିଧାୟକଙ୍କୁ ସ୍ନାନବେଦୀକୁ ନେଇଥିବା ସୋମନାଥ ଖୁଣ୍ଟିଆ ନିଲମ୍ବିତ । ଶ୍ରୀମନ୍ଦିର ଆଇନ ୨୧(ଖ) ଧାରାରେ ନିଲମ୍ବନ କରିଛି ପ୍ରଶାସନ । ଏହାସହ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କୁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି । ସ୍ନାନବେଦୀରେ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଥିବାରୁ ବିଧାୟକଙ୍କୁ ନୋଟିସ ଦିଆଯାଇଛି । ନିଲମ୍ବନ ନ ହଟିବା ଯାଏ ଶ୍ରୀମନ୍ଦିର ଦୈନିକ ସେବାରୁ ସେ ବଞ୍ଚିତ ହେବେ ବୋଲି ଚିଠିରେ କୁହାଯାଇଛି । ତାଙ୍କ ସହିତ ଥିବା ଅନ୍ୟଜଣେ ସେବକ ରାଜରାମ ଖୁଣ୍ଟିଆଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି ।
ସୂଚନା ଅନୁସାରେ ଏହି ଦୁଇ ଜଣ ସେବକ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କୁ ସାଙ୍ଗରେ ନେଇ ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରାଇଥିଲେ, ଯାହାକି ଶ୍ରୀମନ୍ଦିର ପ୍ରଶାସନର ଆଇନ ୨୧(ଖ) ଧାରାରେ ଉଲ୍ଲଂଘନ କରିଥିଲେ । ନିୟମ ଅନୁଯାୟୀ ସ୍ନାନବେଦୀରେ ସେବାରେ ଥିବା ସେବକ କେବଳ ସ୍ନାନବେଦୀକୁ ଯାଇ ପାରିବେ । ଯାହାକି ଏହି କ୍ଷେତ୍ରରେ ଉଲ୍ଲଂଘନ ହୋଇ ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ନୋଟିସ ସହ ନିଲମ୍ବିତ କରିଛି ।
ଏଥି ସହିତ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କୁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ନୋଟିସ ଜାରି କରିଛି । କିଭଳି ସେ ଦାୟିତ୍ବ ସମ୍ପନ୍ନ ବ୍ୟକ୍ତି ହୋଇ ନିୟମ ଉଲ୍ଲଂଘନ କଲେ ଚିଠିରେ ଉଲ୍ଲେଖ କରାଯାଇଛି । 7 ଦିନ ଭିତରେ ଏହାର ଜବାବ ରଖିବାକୁ କୁହାଯାଇଛି । ନଚେତ୍ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଚିଠିରେ ଉଲ୍ଲେଖ ରହିଛି ।
ଅନ୍ୟପକ୍ଷରେ ସ୍ନାନମଣ୍ଡପକୁ ଯିବା କଥା ନେଇ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି ମୁଁ ସବୁବର୍ଷ ସ୍ନାନଯାତ୍ରାକୁ ଯାଇ ପ୍ରତିଦିନ ଶ୍ରୀଜିଉଙ୍କୁ ଦର୍ଶନ କରିଥାଏ । ଚଳିତ ବର୍ଷ ସ୍ନାନଯାତ୍ରାରେ ମଧ୍ୟ ଠାକୁରଙ୍କୁ ଯାଇ ମୁଣ୍ଡିଆ ମାରିଥିଲେ । ମହାପ୍ରଭୁକୁ ଛୁଇଁଛି କି ପାଖକୁ ଯାଇଛି । ପାହାଚରେ ମୁଣ୍ଡିଆ ମାରିକି ଆସିଛି । ଏହାସହ କେହି ତାଙ୍କୁ ସ୍ନାନବେଦୀ ପାଖକୁ ନଯିବା ପାଇଁ କହି ନଥିବା ସେ କହିଛନ୍ତି ।
ଏହାସହ ସ୍ନାନ ଜଳ ଲାଗି ବେଳେ ବିଶୃଙ୍ଖଳା ଓ ମହାପ୍ରଭୁଙ୍କ ଦେହରେ ଭରା ଦେଇ ଠିଆ ହେବାକୁ ନେଇ ମଧ୍ୟ ଅନେକ ସେବାୟତଙ୍କୁ ନୋଟିସ ଜାରି କରାଯାଇଛି । ସିସିଟିଭି ଫୁଟେଜକୁ ଆଧାର କରି ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ