ପୁରୀ: ପିପିଲି ଟୋଲଗେଟ ନିକଟରେ ବସ୍ ଦୁର୍ଘଟଣା । ଭୁବନେଶ୍ବରରୁ ଅସ୍ତରଙ୍ଗ ଯାଉଥିବା ଶାରଳା ନାମକ ଏକ ଘରୋଇ ବସ ଭାରସାମ୍ୟ ହରାଇ ଡିଭାଇଡର ପିଟି ହୋଇ ଯିବାରୁ ଓଲଟି ପଡ଼ିଥିଲା । ତେବେ ଦୁର୍ଘଟଣାରେ ବସ୍ର ହେଲପରଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ଭୁବନେଶ୍ବରରୁ ଅସ୍ତରଙ୍ଗ ଅଭିମୁଖେ ଆସୁଥିବା ଶାରଳା ନାମକ ବସ ରାସ୍ତାରେ ଏକ କାରକୁ ଓଭର ଟେକ୍ କରି ଆଗକୁ ଆସୁଥିବାବେଳେ ଡିଭାଇଡରରେ ପିଟି ହୋଇ ଓଲଟି ପଡିଥିଲା । ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକମାନେ ବସ୍ରୁ ଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିବା ସହ ଆହତଙ୍କ ଆଶୁ ଚିକିତ୍ସା ପାଇଁ ପ୍ରଥମେ ପିପିଲି ମେଡିକାଲରେ ଭର୍ତ୍ତି କରିଥିଲା ପୋଲିସ । ସେଠାରୁ କିଛି ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠେଇ ଦିଆଯାଇଥିବା ସୂଚନା ମିଳିଛି ।
ଇଟିଭି ଭାରତ, ପୁରୀ