ପୁରୀ: ପଞ୍ଚଭୂତରେ ବିଲୀନ ହେଲେ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ର । ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।
ସ୍ବର୍ଗତ ରାଜୁ ମିଶ୍ରଙ୍କୁ ତାଙ୍କ ପୁଅ ପୁନିତ ମିଶ୍ର ମୁଖାଗ୍ନି ଦେଇଛନ୍ତି । ସ୍ବର୍ଗଦ୍ବାରରେ ରାଜୁ ମିଶ୍ରଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ବନ୍ଧୁ, ପ୍ରଶଂସଙ୍କଙ୍କ ବେଶ ଭିଡ଼ ଦେଖିବାକୁ ମିଳିଛି ।
ତେବେ ସୋମବାର ସକାଳେ ହୃଦଘାତରେ ରାଜୁ ମିଶ୍ରଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ଜଟଣୀ ସ୍ଥିତ ବାସଭାବନରେ ରାଜୁ ମିଶ୍ରଙ୍କ ପରଲୋକ ହୋଇଛି । ଘରେ ବସିଥିବା ବେଳେ ହୃଦଘାତରେ ତାଙ୍କର ପରଲୋକ ହୋଇଯାଇଛି ।
ତାଙ୍କ ବିୟୋଗରେ ଓଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଓଡିଆ ଫିଲ୍ମ ଜଗତରେ ଅନେକ ସୁପରହିଟ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାଜୁ ମିଶ୍ର ।
୨୦୧୨ ମସିହାରେ ରାଜୁ ମିଶ୍ରଙ୍କୁ ଜୟଦେବ ପୁରସ୍କାର ମିଳିଥିଲା । ମମତା ମାଗେ ଫୁଲ, ସତ ମିଛ, ପୁଅ ମୋର କଳା ଠାକୁର, ସାଗର ଗଙ୍ଗା, ପଥର ଖସୁଛି ବଡଦେଉଳ ଆଦି ଅନେକ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ ସେ । ରାଜୁ ମିଶ୍ର ଏକାଧାରରେ ନିର୍ଦ୍ଦେଶନା ଓ ସିନେମାଟୋଗ୍ରାଫର ଭାବେ କାର୍ଯ୍ୟ ମଧ୍ୟ କରିଥିଲେ । ପୁନେ ସ୍ଥିତ ଫିଲ୍ମ ଆଣ୍ଡ ଫିଲ୍ମ ଟେଲିଭିଜନ ଇନଷ୍ଟିଚ୍ୟୁଟରୁ ଡିଗ୍ରୀ ହାସଲ କରିଥିଲେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ