ପୁରୀ: ବିପଦରେ ଅଲିଭ ରିଡ଼ଲେ କଇଁଛ। ପ୍ରଜନନ ଋତୁରେ ସୁରକ୍ଷିତ ଅଣ୍ଡା ଦାନ ପାଇଁ ପୁରୀ ଉପକୂଳକୁ ଆସୁଥିବା ଅଲିଭ ରିଡ଼ଲେ କଇଁଛଙ୍କ ହେଉଛି ଅକାଳ ମୃତ୍ୟୁ। ସମୁଦ୍ର ଭିତରେ ଟ୍ରଲର ମାଡରେ ବିରଳ ଅଲିଭ ରିଡଲେ କଇଁଛଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ କରିଛନ୍ତି ପରିବେଶପ୍ରେମୀ । ପୁରୀର ବେଲେଶ୍ବର ବେଳାଭୂମିଠାରୁ ଦେବୀନଦୀ ମୁହାଣ ଭିତରେ ମରି ପଡ଼ିଛନ୍ତି ଶତାଧିକ କଇଁଛ ।
ପ୍ରତିବର୍ଷ ନଭେମ୍ବର ମାସଠାରୁ ମେ ମାସ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାକୁ ହଜାରହଜାର ସଂଖ୍ୟାରେ ଅଲିଭ ରିଡଲେ କଇଁଛ ଆସିଥାଆନ୍ତି । କଇଁଛଙ୍କ ଏନ୍ତୁଡ଼ିଶାଳ କୁହାଯାଉଥିବା ପୁରୀଠାରୁ ଅସ୍ତରଙ୍ଗ, କୃଷ୍ଣପ୍ରସାଦ ପର୍ଯ୍ୟନ୍ତ କଇଁଛମାନେ ଅଣ୍ଡାଦାନ କରି ପୁଣି ସମୁଦ୍ର ଗର୍ଭକୁ ଚାଲି ଯାଇଥାନ୍ତି । ପ୍ରଜନନ ଋତୁରେ କଇଁଛଙ୍କ ସୁରକ୍ଷିତ ଅଣ୍ଡାଦାନକୁ ନେଇ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରିଥିଲେ ମଧ୍ୟ ତାହା ବାସ୍ତବିକ ଏହା ସଫଳ ହେଉ ନଥିବା ଦେଖିବାକୁ ମିଳିଛି ।
ବେଲେଶ୍ବର ବେଳାଭୂମିଠାରୁ ଦେବୀନଦୀ ମୂହାଣ ଭିତରେ ଶତାଧିକ କଇଁଛ ମରିପଡିଥିବା ଦେଖିବାକୁ ମିଲୁଛି । ଏନେଇ ପରିବେଶ ପ୍ରେମୀ ଉଦବେଗ ପ୍ରକାଶ କରିଛନ୍ତି । ବେଆଇନ ଟ୍ରଲର ଯୋଗୁଁ କଇଁଛଙ୍କ ଅକାଳ ମୃତ୍ୟୁ ହେଉଛି । ତେବେ କେବେ ବନ୍ଦ ହେବ ବେଆଇନ ଟ୍ରଲର ତାହାକୁ ନେଇ ଏବେ ଚିନ୍ତାରେ ପରିବେଶବିତ ଓ ସମାଜସେବୀ । ତୁରନ୍ତ ପୁରୀ ଜିଲ୍ଲା ପ୍ରଶାସନ ସମୁଦ୍ରରେ ବେଆଇନ ଟ୍ରଲର ବନ୍ଦ କରିବା ସହ କଇଁଛଙ୍କୁ ସୁରକ୍ଷା ଦେବାକୁ ଅନୁରୋଧ କରିଛନ୍ତି ପରିବେଶପ୍ରେମୀ ।
ଗତ ବର୍ଷ ନଭେମ୍ବର ଆରମ୍ଭରୁ ପୁରୀ ବେଳାଭୂମିକୁ ଅଲିଭ୍ ରିଡଲେ କଇଁଛଙ୍କ ଆଗମନ ହୋଇଛି । ନଭେମ୍ବରରୁ ଡିସେମ୍ବର ମଧ୍ୟରେ ଏମାନଙ୍କ ମିଳନ ପର୍ବ ହୋଇଥିବା ବେଳେ ଫେବୃଆରୀ ମାସ ଆଡକୁ ଏହି ଅଲିଭ ରିଡଲେ କଇଁଛ ମୁଖ୍ୟତଃ ଦେବୀ ମୁହାଣ ଓ ଚନ୍ଦ୍ରଭାଗା ମୁହାଣଠାରୁ ପୁରୀ ପର୍ଯ୍ୟନ୍ତ ଅଣ୍ଡା ଦେବା ଆରମ୍ଭ କରିଥାନ୍ତି । ଏଥିପାଇଁ ପ୍ରତିବର୍ଷ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ଉକ୍ତ ଅଞ୍ଚଳରେ ମାଛ ମାରିବା ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଥାଏ ।
ଏହା ମଧ୍ୟ ପଢନ୍ତୁ-ନନ୍ଦନକାନନରେ ବୃଦ୍ଧି ପାଉଛି ଜୀବଜନ୍ତୁଙ୍କ ମୃତ୍ୟୁସଂଖ୍ୟା, ବର୍ଷକରେ 87 ମୃତ୍ୟୁ
ପ୍ରତିବର୍ଷ ଅଲିଭ୍ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ଉଭୟ ସାମୁଦ୍ରିକ ମତ୍ସ୍ୟ ବିଭାଗ ସହ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଲକ୍ଷଲକ୍ଷ ଟଙ୍କା ବ୍ୟୟ କରାଯାଉଛି । କିନ୍ତୁ ସଠିକ୍ ଭବେ ସମୁଦ୍ରରେ ପାଟ୍ରୋଲିଂ କରାଯାଉନଥିବାରୁ ନିଷିଦ୍ଧାଞ୍ଚଳରେ ମାଳମାଳ ଟ୍ରଲର ଓ ଯନ୍ତ୍ର ଚାଳିତ ଡଙ୍ଗା ଚଳପ୍ରଚଳ କରୁଛି । ଫଳରେ ବିରଳ ଜାତିର ଅଲିଭ ରିଡ୍ଲେ କଇଁଛଙ୍କ ମୃତ୍ୟୁ ଘଟୁଥିବା ଅଭିଯୋଗ ହୋଇଛି ।
ଇଟିଭି ଭାରତ, ପୁରୀ