ପୁରୀ: ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ବେଆଇନ ଟ୍ରଲର ଓ ଯନ୍ତ୍ର ଚାଳିତ ଡଙ୍ଗା ମାଡ଼ରେ ପ୍ରତିବର୍ଷ ମୃତ୍ୟୁବରଣ କରୁଛନ୍ତି ହଜାର ହଜାର ଅଲିଭ ରିଡଲେ କଇଁଛ । ଚଳିତ ବର୍ଷ ମଧ୍ୟ ପୁରୀ ଉପକୂଳରେ ସମାନ ଅବସ୍ଥା ଦେଖିବାକୁ ମିଳିଛି । ନିଷିଦ୍ଧାଞ୍ଚଳରେ ମାଳମାଳ ଟ୍ରଲର ଓ ଯନ୍ତ୍ର ଚାଳିତ ଡଙ୍ଗା ମାଛ ମାରୁଥିବା ଦେଖିବାକୁ ମିଳିଛି । ହେଲେ ଏହି ବିରଳ ସାମୁଦ୍ରିକ ଜୀବର ସୁରକ୍ଷା ଦିଗରେ ସାମୁଦ୍ରିକ ମତ୍ସ୍ୟ ବିଭାଗ ସଫଳ ହୋଇପାରୁନାହିଁ ।
ସମୁଦ୍ରରେ ହେଉନି ପାଟ୍ରୋଲିଂ
ପ୍ରତିବର୍ଷ ନିୟମ ଅନୁଯାୟୀ ପୁରୀ ଦେବୀନଦୀ ମୁହାଣଠୁ ୨୦ କିମି ପରଧି ଏବଂ ଅନ୍ୟ ନଦୀ ମୁହାଣ ଓ ସମୁଦ୍ରଠାରୁ ୫ କିମି ପରଧି ମଧ୍ୟରେ ମାଛ ଧରାକୁ ସମ୍ପୁର୍ଣ୍ଣ ବ୍ୟାନ୍ କରାଯାଇଛି । ସେହିପରି ସମୁଦ୍ର ଭିତରେ ପାଟ୍ରୋଲିଂ ପାଇଁ ଉଭୟ ସାମୁଦ୍ରିକ ମତ୍ସ୍ୟ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗର ମିଳିତ ଦାୟିତ୍ଵ ରହିଛି । କିନ୍ତୁ ଉଭୟ ବିଭାଗ ପକ୍ଷରୁ ନିୟମିତ ପାଟ୍ରୋଲିଂ କରାଯାଉନଥିବାରୁ ଟ୍ରଲର ଓ ଯନ୍ତ୍ର ଚାଳିତ ଡଙ୍ଗା ଖୁଲମଖୁଲା ନିଷିଦ୍ଧାଞ୍ଚଳକୁ ଯାଇ ଅବାଧରେ ମାଛ ମାରୁଛନ୍ତି । ଟ୍ରଲର ଓ ଯନ୍ତ୍ର ଚାଳିତ ଡଙ୍ଗା ମାଡ଼ରେ ଅନେକ କଇଁଛଙ୍କ ମୃତ୍ୟୁ ହେଉଛି । ଏହାକୁ ରୋକାନଗଲେ ଆଗାମୀ ଦିନରେ ଏହି ବିରଳ ଅଲିଭ ରିଡଲେ କଇଁଛଙ୍କୁ ଆଉ ଦେଖିବାକୁ ମିଳିବ ନାହିଁ ବୋଲି ଚିନ୍ତା ପ୍ରକଟ କରାଯାଇଛି ।
ଜାଲ ବ୍ୟବହାର ବନ୍ଦ କରାଯାଉ
ଏହାକୁ ନେଇ ପାରମ୍ପରିକ ମତ୍ସ୍ୟଜୀବୀ ସଂଘ ସଭାପତି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, "ସରକାରଙ୍କ ଯେଉଁ କଟକଣା ଅଛି ଫିସିଂ କରିବା ପାଇଁ । ସେହି କଟକଣାକୁ କେ ମାନୁନାହାନ୍ତି । ଟ୍ରଲରବାଲା ୧୦ କିମି ଭିତରକୁ ଆସି ମାଛ ଧରୁଛନ୍ତି । ଫଳରେ ପାରମ୍ପରିକ ମତ୍ସ୍ୟଜୀବୀଙ୍କ ଜାଲ ଚିରି ନଷ୍ଟ କରୁଛନ୍ତି । ଏହାକୁ ନେଇ ସାମୁଦ୍ରିକ ମତ୍ସ୍ୟ ଅଧିକାରୀଙ୍କୁ ପ୍ରଶାସନ ଅବଗତ କରାଯାଇଥିଲେ ସୁଦ୍ଧା କିଛି ଲାଭ ହେଉନି । ୪ଟି ଜାଲ ବ୍ୟବହାର ବନ୍ଦ କରିବା ଦରକାର । ତାନହେଲେ ସାମୁଦ୍ରିକ ଜୀବଙ୍କ ପ୍ରତି ବିପଦ ରରିଛି । ବିଶେଷ କରି ଯେଉଁ ଭିଡ଼ା ଜାଲ ରହିଛି ତାହା ଅଧିକ ବିପଦ ଜନକ । ଏଭଳି ଜାଲ ବ୍ୟବହାର ବନ୍ଦ କଲେ କଇଁଛ ସୁରକ୍ଷା ହୋଇ ପାରିବ । ଟ୍ରଲରଗୁଡ଼ିକୁ ଧରିବା ପାଇଁ ଟାସ୍କଫୋର୍ସ କାର୍ଯ୍ୟକାରୀ ହୋଇପାରୁନାହିଁ ।"
ନଭେମ୍ବରୁ ଅଲିଭ ରିଡଲେଙ୍କ ଆଗମନ
ନଭେମ୍ବର ଆରମ୍ଭରୁ ପୁରୀ ବେଳାଭୂମିକୁ ଅଲିଭ୍ ରିଡଲେ କଇଁଛଙ୍କ ଆଗମନ ହୋଇଥାଏ । ନଭେମ୍ବରରୁ ଡିସେମ୍ବର ମଧ୍ୟରେ ଏମାନଙ୍କ ମିଳନ ପର୍ବ ହୋଇଥାଏ । ଫେବୃଆରୀ ମାସ ଆଡକୁ ଏହି ଅଲିଭ ରିଡଲେ କଇଁଛ ମୁଖ୍ୟତଃ ଦେବୀ ମୁହାଣ ଓ ଚନ୍ଦ୍ରଭାଗା ମୁହାଣଠାରୁ ପୁରୀ ପର୍ଯ୍ୟନ୍ତ ଅଣ୍ଡା ଦେବା ଆରମ୍ଭ କରିଥାନ୍ତି । ଏଥିପାଇଁ ପ୍ରତିବର୍ଷ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ଉକ୍ତ ଅଞ୍ଚଳରେ ମାଛ ମାରିବା ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଥାଏ ।
ଜାଲ ହେଉଛି କାଳ
ସେପଟେ କେତେକ ଖଳ ପ୍ରକୃତିର ମତ୍ସ୍ୟଜୀବୀ ସମୁଦ୍ରରେ ମାଛ ମାରୁଥିବା ସମୟରେ କଙ୍କଡ଼ା ଜାଲ, ଭିଡା ଜାଲ, ସାଙ୍କୁସ ଓ ରିଙ୍ଗ୍ ଜାଲ ବ୍ୟବହାର କରୁଥିବାରୁ ହଜାର ହଜାର କଇଁଛ ମୃତ୍ୟୁବରଣ କରୁଛନ୍ତି । ତେଣୁ ଏହି ଜାଲଗୁଡ଼ିକୁ ତୁରନ୍ତ ନିଷିଦ୍ଧ କରାଯିବା ସହ ନିୟମ ଉଲ୍ଲଙ୍ଘନ ମତ୍ସ୍ୟଜୀବୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ସେପଟେ ଏହି ଅଭିଯୋଗ ନେଇ ସାମୁଦ୍ରିକ ମତ୍ସ୍ୟ ବିଭାଗ ଅଧିକାରୀଙ୍କ ସେହି ଚିରାଚରିତ ଉତ୍ତର ରହିଛି ।
ଓଲିଭ ରିଡଲେ କଇଁଛଙ୍କ ସୁରକ୍ଷାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପୁରୀ ଅତିରିକ୍ତ ସାମୁଦ୍ରିକ ମତ୍ସ୍ୟ ଅଧିକାରୀ । ଅତିରିକ୍ତ ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ସୁଧାଂଶୁ କୁମାର ମଲ୍ଲିକ କହିଛନ୍ତି, "ସମୁଦ୍ର ଭିତରେ କଡା ପେଟ୍ରୋଲିଂ କରାଯିବା ସହ ଆଇନ ଅନୁଯାୟୀ ସମସ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ପ୍ରତି ବର୍ଷ ୩ରୁ ୪ ଟ୍ରଲର ଧରା ପଡ଼ୁଛନ୍ତି । ଧୀରେଧୀରେ ଏହି ସଂଖ୍ୟା ନିୟନ୍ତ୍ରଣକୁ ଆସିବାରେ ଲାଗିଛି ।"
ପ୍ରତିବର୍ଷ ଅଲିଭ୍ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ଉଭୟ ସାମୁଦ୍ରିକ ମତ୍ସ୍ୟ ବିଭାଗ ସହ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଉଛି । କିନ୍ତୁ ସଠିକ୍ ଭବେ ସମୁଦ୍ରରେ ପାଟ୍ରୋଲିଂ କରାଯାଉନଥିବାରୁ ନିଷିଦ୍ଧାଞ୍ଚଳରେ ମାଳମାଳ ଟ୍ରଲର ଓ ଯନ୍ତ୍ର ଚାଳିତ ଡଙ୍ଗା ଚଳପ୍ରଚଳ କରୁଛି । ଫଳରେ ବିରଳ ଜାତିର ଅଲିଭ ରିଡ୍ଲେ କଇଁଛଙ୍କ ମୃତ୍ୟୁ ଘଟୁଛି । ପ୍ରତିବର୍ଷ କଇଁଛ ସୁରକ୍ଷା ପାଇଁ ଲକ୍ଷ ଲକ୍ଷ ଟଙ୍କା ବାସ୍ତବରେ ଖର୍ଚ୍ଚ କରାଯାଉଛି ନା ଏହି ଅର୍ଥ ବିଭାଗର ବଡ ଅଧିକାରୀମାନଙ୍କ ପକେଟକୁ ଏହା ଯାଉଛି ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି ।
ଇଟିଭି ଭାରତ, ପୁରୀ