ପୁରୀ: ସାରା ବିଶ୍ବରେ ଥିବା ସମସ୍ତ ମନ୍ଦିର ନୀତି ଅପେକ୍ଷା ଶ୍ରୀମନ୍ଦିର ନୀତି ସ୍ବତନ୍ତ୍ର ଓ ତତ୍ତ୍ବପୂର୍ଣ୍ଣ । ଶ୍ରୀଜଗନ୍ନାଥଙ୍କ ତତ୍ତ୍ବ ନୀତି, ବିଧିବିଧାନ ସବୁ ଗୁପ୍ତ, ଗମ୍ଭୀର, ବ୍ୟାପକ ଓ ରହସ୍ୟାରେ ଆଚ୍ଛାଦିତ । ଜଗନ୍ନାଥଙ୍କ ରୂପ ଯେପରି ଅଦ୍ଭୁତ ଓ ରହସ୍ୟମୟ, ସେହିପରି ମନ୍ଦିରର ନୀତିକାନ୍ତି ଗୁପ୍ତରହସ୍ୟର ମହାସମୁଦ୍ର । ତନ୍ମଧ୍ୟରୁ ଆଷାଢ ଶୁକ୍ଲ ଦ୍ବାଦଶୀ ଦିନ ନୀଳାଦ୍ରି ବିଜେର ପୂର୍ବଦିନ ଅର୍ଥାତ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କୁ ଅଧରପଣା ଲାଗି କରାଯାଏ । ଏହି ପଣାଭୋଗ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଓ ଗୃଢତତ୍ତ୍ବରେ ପରିପୂର୍ଣ୍ଣ । ଆସନ୍ତୁ ଜାଣିବା ଏହା ପଛର କାହାଣୀ ଓ ରହସ୍ୟ ।
ମନ୍ଦିର ପ୍ରଶାସନ, ରାଘବ ଦାସ ଓ ବଡ଼ ଓଡ଼ିଆ ମଠ ପ୍ରଦତ୍ତ ଛାଚି, ସର, କଦଳୀ , ଛେନା, ଗୋଲମରିଚ ଗୁଣ୍ଡ, କର୍ପୂର, ଜାଇଫଳ ଇତ୍ୟାଦି ପଣା ଦ୍ରବ୍ୟ ସାମଗ୍ରୀ ପାଳିଆ ମହାସୁଆର ରଥ ଉପରେ ରଖିଥାନ୍ତି। ପ୍ରତ୍ୟେକ ଠାକୁରଙ୍କ ସମ୍ମୁଖରେ ରଥ ଉପରେ ଭୋଗ ହେଉଥିବା ସ୍ଥାନରେ ମହାପ୍ରଭୁମାନଙ୍କର ଶ୍ରୀଅଧର ଉଚ୍ଚ ଥିବା ତୁମ୍ବ ଆକୃତି ଭଳି ମାଟିର ତିନୋଟି ହାଣ୍ଡି ରଖାଯାଏ । ପୂର୍ବରୁ ପାଣିଆ ଆପଟ ସେବକମାନେ ସିଂହଦ୍ୱାର ଛାଉଣୀ ମଠ ସମ୍ମୁଖସ୍ଥ କୂପରୁ ଗରାମାନଙ୍କରେ ଜଳ କାଢି ରଥ ଉପରକୁ ବୋହି ନେଇ ବଡ଼ ପିତଳ ହଣ୍ଡାମାନଙ୍କରେ ରଖିଥାନ୍ତି ।
ସିଂହଦ୍ୱାର ସମ୍ମୁଖ କୂପରୁ ଏହି ଜଳ ଅଣାଯାଏ। ଅଧରପଣା ଭୋଗ ପୂର୍ବରୁ ମହାସୁଆରମାନେ ଥାଇ ଭିତରଚ୍ଛ, ତଳୁଚ୍ଛ , ରଥରେ ପାଳିଆ ପୁଷ୍ପାଳକ ଅଧର ଆଗରେ ଖଣ୍ଡେ ନୂଆ ଗାମୁଛା ଟେରା ଧରିଥାନ୍ତି। ଅଧରପଣା ହାଣ୍ଡି ଉପରେ ଖଣ୍ଡେ ଲେଖାଏଁ ଧଳା ଜାଲିକନା ପକାଯାଏ। ଜଳ ଛଣା ଉଦ୍ଦେଶ୍ୟରେ ଏହା ପକାଯାଏ ବୋଲି କଥିତ ରହିଛି। ମହାସୁଆରମାନେ ପ୍ରତି ରଥରେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥାନ୍ତି। ଏହାପରେ ପତ୍ରିବଡୁ, ସୁଆରବଡୁ ଓ ଗରାବଡୁ ପାଳିଆ ସେବକ ତିନି ରଥରେ ପୂଜା କରନ୍ତି। ତତ୍ ପରେ ପାଳିଆ ପୂଜା ପଣ୍ଡା ପଞ୍ଚୋପଚାରରେ ପୂଜା କରିଥାନ୍ତି। ରଥ ଉପରେ ଠାକୁରମାନଙ୍କ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଅଧର ପଣା ପ୍ରସ୍ତୁତି ଓ ନୀତି ଆରମ୍ଭ ହୋଇଥାଏ।
ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଅଧରପଣା ଭୋଗ କରାଯାଇଥାଏ । ପ୍ରତି ରଥରେ ୩ହାଣ୍ଡି ହିସାବରେ ମୋଟ ୯ହାଣ୍ଡି ଅଧର ପଣା ଭୋଗ କରାଯାଇଥାଏ । ଏହି ୯ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋପଚାର ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କୁ ଅର୍ପଣ କରିଥାନ୍ତି। ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ । ରଥଗୁଡ଼ିକରେ ଥିବା ପାର୍ଶ୍ୱଦେବଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହିଆସିଛି ।
ଏ ଅଧରପଣା ଜୀଉମାନଙ୍କ ପ୍ରସାଦ ପରେ ରଥାରୁଢ଼ ଅନୁଚର, ଅନୁଗମନକାରୀ, ସହଚର, ଗଣ ପାଇଥାନ୍ତି । ଶାସ୍ତ୍ର ପୃଷ୍ଠାରୁ ଜଣାଯାଏ ଯେ, ରଥର ଚକ ଠାରୁ ଆରମ୍ଭ କରି ଧ୍ବଜ ନେତ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବିଭିନ୍ନ ଦେବତା, ଋଷି, ଗନ୍ଧର୍ବ, ଯକ୍ଷ, ରକ୍ଷ, କିନ୍ନର, ଚଣ୍ଡି, ଚାମଣ୍ଡା, ଅଶରୀରୀ, ପିଶାଚ, ଯୋଗିନୀ ପ୍ରଭୃତିଙ୍କୁ ଆବାହନ କରି ଅବସ୍ଥାପିତ କରାଯାଇଥାଏ । ଏହି ନବଦିନ ଯାତ୍ରାରେ ସେମାନେ ପ୍ରଭୁଙ୍କ ଅନୁଚର ଓ ରଥ ରକ୍ଷକ ଭାବେ ସେବା ପ୍ରଦାନ କରିଥାନ୍ତି । ଏହି ପଣା ପାଇଁ ସେମାନେ ମୁକ୍ତ ହୋଇଥାନ୍ତି, ମୋକ୍ଷ ପାଇଥାନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ