ପୁରୀ : ଜାତୀୟ ସ୍ତରୀୟ ମିଷ୍ଟର ଆଣ୍ଡ ମିସ ଇଣ୍ଡିଆ ୨୦୨୨ର ପ୍ରତିଯୋଗିତା ଉଦଯାପିତ ହୋଇଛି । ପୁରୀ ଆମେଚର ବଡି ବିଲଡିଙ୍ଗ ଓ କଳିଙ୍ଗ ବଡି ବିଲଡିଙ୍ଗ ଆସୋସିଏସନର ମିଳିତ ସହଯୋଗରେ ତିନିଦିନ ଧରି ଅନୁଷ୍ଠିତ ହୋଇଥିଲା ଏହି ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା । ପୁରୀ ନିଳାଦ୍ରୀ ବିଚରେ ଅନୁଷ୍ଠିତ ଏହି ପ୍ରତିଯୋଗିତା ସମସ୍ତଙ୍କୁ ବେଶ ଆକୃଷ୍ଠ କରିଥିବା ବେଳେ ଛତିଶଗଡ, କାଶ୍ମୀର, ଆସାମ, ପଶ୍ଚିମବଙ୍ଗ ଭଳି ୨୫ ଟି ରାଜ୍ୟର ୪ ଶହରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଖେଳାଳି ଏଥିରେ ଭାଗ ନେଇଥିଲେ । ତେବେ ୨୨ଟି ବର୍ଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ୭ ଜଣ ଚମ୍ପିୟାନ ହୋଇଛନ୍ତି ।
ତେବେ ପ୍ରାୟ ୨୨ ଟି ବିଭାଗରେ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ପୁରୀ ନିଳାଦ୍ରୀ ବିଚ ଠାରେ ଉଦଯାପିତ ହୋଇଛି । ଏଥିରେ ସିନିଅର ମେନ ବଡି ବିଲଡିଙ୍ଗରେ ଗୁଜୁରାଟର ଅବିର ଶେଖ, ଜୁନିଅର ମିଷ୍ଟର ଇଣ୍ଡିଆରେ କେରଳର ସୁଜିଥ ପ୍ରସନନ, ବରମୁଡା ମଡେଲରେ ତାମିଲନାଡୁର ସୁରେଶ କୁମାର, ସ୍ପୋର୍ଟ୍ସ ମଡେଲରେ ରାଜସ୍ଥାନର ଭୂପେନ୍ଦ୍ର ସିଂହ, ଓମେନ ବଡିବିଲଡିଂରେ ଆସାମର ଦୀପମୋନି ଗୋଗୋଇ, ବିକିନିରେ ମେଘାଳୟର ଝାଭେରା, ଓମେନ ସ୍ପୋର୍ଟ୍ସ ମଡେଲରେ ଆସାମର ନିଯୋରା ରୟ ଟାଇଟଲ ହାତେଇଛନ୍ତି ।
ଏହି ପ୍ରତିଯୋଗିତାକୁ ପୁରୀର ଲିଜେଣ୍ଡ ଜିମ ଆୟୋଜନ କରିଥିଲା । ତେବେ ୨୨ଟି ବର୍ଗରେ ପ୍ରତିଯୋଗିତା ମଧ୍ୟରୁ ଦିବ୍ୟାଙ୍ଗ ବର୍ଗ ସମସ୍ତ ଦର୍ଶକ ଓ ପ୍ରତିଯୋଗୀଙ୍କ ମନ ଜିଣିଥିଲା । ଶ୍ରୀକ୍ଷେତ୍ର ମାଟିରେ ଦିବ୍ୟାଙ୍ଗ ମାନଙ୍କୁ ନେଇ କେବେବି ଏଭଳି ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ନ ଥିବା ବେଳେ ଏହି ମଞ୍ଚରେ ପ୍ରଥମ ଥର ପାଇଁ ଏହା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଦିବ୍ୟାଙ୍ଗ ମାନେ ନିଜ ନିଜର କଳା କୌଶଳ ପ୍ରଦର୍ଶନ କରିଥିଲେ । ଦିବ୍ୟାଙ୍ଗ ମାନଙ୍କ ଏଭଳି ନିଆରା ମନୋବଳ ଅନ୍ୟ ପାଇଁ ପ୍ରେରଣା ହେବା ସହ ଏକ ନୂତନ ଦିଶା ରୂପେ କାର୍ଯ୍ୟ କରିବ । ତେବେ ଏଭଳି ପ୍ରତିଯୋଗିତାରେ ଦିବ୍ୟାଙ୍ଗ ମାନଙ୍କୁ ଭାଗ ନେବାର ସୁଯୋଗ ମିଳିଥିବାରୁ ନିଜକୁ ଗର୍ବିତ ଅନୁଭବ କରିଛନ୍ତି ଦିବ୍ୟାଙ୍ଗ ପ୍ରତିଯୋଗୀ ।
ଇଟିଭି ଭାରତ, ପୁରୀ