ପୁରୀ: ଆଇସକ୍ରିମ କାଠିରେ ଅଲମ୍ପିକ୍ସ ଷ୍ଟାଡିୟମର ନିଆରା ପ୍ରତିକୃତି । ନିର୍ଜୀବ କାଠିକୁ ଏକଜୁଟ୍ କରି ଅଲମ୍ପିକ୍ସ ଷ୍ଟାଡିୟମର ଏକ ଜୀବନ୍ତ ଚିତ୍ର ତିଆରି କରିଛନ୍ତି ପୁରୀର ଜଣେ ଛାତ୍ରୀ । ଏହି ଷ୍ଟାଡିୟମକୁ ଦେଖିବା ପରେ ସମସ୍ତଙ୍କ ଆଖି ଆଗରେ ବାସ୍ତବ ଟୋକିଓର ସେ ଅଲମ୍ପିକ୍ସ ଷ୍ଟାଡିୟମ ନାଚିଯାଉଛି । ସୋସିଆଲ ମିଡିଆରେ ଏହି ଫଟୋଚିତ୍ର ଭାଇରାଲ୍ ହେବା ପରେ ପ୍ରଶଂସାର ସୁଅ ଛୁଟୁଛି ଚିତ୍ରକାରଙ୍କ ନିକଟକୁ ।
ତେବେ ଏହି ଚିତ୍ରକାର ଜଣକ ହେଉଛନ୍ତି ପୁରୀ ଜିଲ୍ଲା ମରିଚିକୋଟର ବାନାମ୍ବର ପଟ୍ଟନାୟକଙ୍କ ଝିଅ ନନ୍ଦିନୀ ପଟ୍ଟନାୟକ । ସେ ଦଶମ ଶ୍ରେଣୀରେ ପାଠ ପଢ଼ନ୍ତି। ନନ୍ଦିନୀଙ୍କ ଚିତ୍ରକଳା ପ୍ରତି ପିଲାଟି ଦିନରୁ ରୁଚି ଥିବାବେଳେ ଅଲମ୍ପିକ୍ସ ଅବସରରେ ସେ ଆଇସିକ୍ରିମ କାଠିରେ ଷ୍ଟାଡିଅମ ତିଆରି ପାଇଁ ଭାବିଥିଲେ । ପରେ ନନ୍ଦିନୀ ଏହି କାର୍ଯ୍ୟରେ ଲାଗି ପଡ଼ିଥିଲେ। 18 ଘଣ୍ଟା ପରିଶ୍ରମ କରି ଆଇସକ୍ରିମ କାଠି, ଧଳା କାର୍ଡ ବୋର୍ଡ, ଅଠା, ରଙ୍ଗ ବ୍ୟବହାର କରି ଷ୍ଟାଡିୟମର ପ୍ରତିକୃତି କରିଛନ୍ତି । ପ୍ରାୟ 8 ରୁ 10 ହଜାର ଆଇସିକ୍ରିମ କାଠିରେ ତିଆରି ହୋଇଛି ଏହି ନିଆରା କଳାକୃତି ।
ତେବେ ଏହି ଆଇସକ୍ରିମ କାଠିରେ ନିର୍ମିତ ଷ୍ଟାଡିୟମଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗି ଥିବାବେଳେ ସମସ୍ତେ ଏହି ନିଆରା କଳାକୁ ବେଶ ପ୍ରଶଂସା କରିଛନ୍ତି । ନନ୍ଦିନୀ ଏହି କଳାକୁ ଲିମକା ବୁକ ଅଫ ରେକର୍ଡ ରେ ସ୍ଥାନ ଦେବା ପାଇଁ ଆବେଦନ କରିଛନ୍ତି । ଏହାର ଉଚ୍ଚତା 12 ଇଞ୍ଚ ଏବଂ ଓସାର 3 ଫୁଟ ରହିଛି । କେବଳ ଏତିକି ନୁହେଁ ରଥଯାତ୍ରା ସମୟରେ କାର୍ଡ ବୋର୍ଡରେ ନନ୍ଦିନୀ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନନ୍ଦିଘୋଷ ରଥ କରିଥିଲେ । ଅତି ନିଖୁଣ ଭାବେ ସେ ଏହାକୁ ତିଆରି କରିଥିଲେ । ସେହିପରି ମହାପ୍ରଭୁଙ୍କ ସୁନାବେଶ, ବିଶ୍ୱ ବ୍ୟାଘ୍ର ଦିବସ, କାର୍ଗିଲ ସହିଦଙ୍କ ସ୍ମୃତିରେ ମଧ୍ୟ ସେ କାର୍ଡ ବୋର୍ଡ, ଆଇସି କ୍ରିମ କାଠିରେ ପ୍ରତିକୃତି ତିଆରି କରିଛନ୍ତି । ପାଠ ପଢିବା ସଙ୍ଗେ ସଙ୍ଗେ ସେଥିରୁ ସମୟ ବାହାର କରି ନନ୍ଦିନୀ କିଛି ନା କିଛି ଆର୍ଟ ତିଆରି କରନ୍ତି । ନନ୍ଦନୀଙ୍କୁ ତାଙ୍କ ବଡ଼ ଭଉଣୀ ସୁସ୍ମିତା ପଟ୍ଟନାୟକ ସାହାଯ୍ୟ କରନ୍ତି । ଆଗକୁ ଆହୁରି ଅନେକ ନିଆରା କଳାକୃତି କରିବାକୁ ଲକ୍ଷ ରଖିଥିବା କହିଛନ୍ତି ସେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ