ପୁରୀ: ସାରା ବିଶ୍ୱରେ ଏବେ କୋଭିଡ ମହାମାରୀର ଆତଙ୍କ । ଏହି ପରିସ୍ଥିତିରେ ଚଳିତ ବର୍ଷ ବି ମହାପ୍ରଭୁଙ୍କ ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେବ । ତେବେ ମହାପ୍ରଭୁଙ୍କ ରଥଯାତ୍ରା ବିନା ଭକ୍ତରେ ହେବାକୁ ଥିବାରୁ ଏହି ସ୍ମୃତିରେ ପୁରୀର ଜଣେ ପଥର ଶିଳ୍ପୀ ପଥରରେ ନିର୍ମାଣ କରିଛନ୍ତି ମହାପ୍ରଭୁଙ୍କ ନନ୍ଦିଘୋଷ ରଥ । ଅବିକଳ ନନ୍ଦିଘୋଷ ରଥର ପ୍ରତିକୃତି ହୋଇଥିବା ବେଳେ ରଥରେ ସାରଥୀ, ଘୋଡ଼ା, ପାର୍ଶ୍ଵ ଦେବାଦେବୀ ସମେତ ନନ୍ଦିଘୋଷ ରଥର ସମସ୍ତ ଡିଜାଇନ ପଥରରେ ନିର୍ମାଣ କରିଛନ୍ତି ।
ପୁରୀ ପଥୁରିଆ ସାହିର ବାସିନ୍ଦା ନିରଞ୍ଜନ ମହାରଣା । ଦୀର୍ଘ 4 ମାସ ପରିଶ୍ରମ କରି ଅତି ନିଖୁଣ ଭାବେ ଏହି ଛୋଟ ନନ୍ଦିଘୋଷ ରଥ ନିର୍ମାଣ କରିଛନ୍ତି । ନିଳ ଓ ନାଲି ରଙ୍ଗର ପଥରରେ ଏହା ତିଆରି ହୋଇଛି । ଏହି ରଥର ଉଚ୍ଚତା 12 ଇଞ୍ଚ ଏବଂ ଲମ୍ଭ 8 ଇଞ୍ଚ । ଲକଡାଉନ ସଟଡାଉନ ସବୁ ବନ୍ଦ ଥିବା ବେଳେ ଶିଳ୍ପୀ ନିରଞ୍ଜନ ମହାରଣା ଘରେ ଥିବା ବେଳେ ସମୟ ନଷ୍ଟ ନକରି ମହାପ୍ରଭୁଙ୍କୁ ସ୍ମରଣ କରି ଛୋଟ ପଥର ନିର୍ମିତ ରଥ ନିର୍ମାଣ କରିଛନ୍ତି, ଯାହାକି ବେଶ ଆକର୍ଷଣୀୟ ହୋଇଛି । ସ୍ଥାନୀୟ ବାସିନ୍ଦା ଏହାକୁ ଦେଖିବାକୁ ଆସୁଛନ୍ତି । ଆଗାମୀ ଦିନରେ ସେ ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ରଥ ନିର୍ମାଣ କରିବେ ବୋଲି କହିଛନ୍ତି । ତେବେ ମହାପ୍ରଭୁ ଭକ୍ତଙ୍କ କଥା ଶୁଣି ଶୀଘ୍ର କୋଭିଡ ମାହାମରୀକୁ ବିନାଶ କରି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ଦୂରତାକୁ ହଟାଇ ଦେବା ପାଇଁ ସେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ