ପୁରୀ: ମହାପ୍ରଭୁ ଜଗନ୍ନାଥ ଏବେ ଅଣସର ଘରେ ରହିଛନ୍ତି । ତେଣୁ ଏବେ ତାଙ୍କର ଦର୍ଶନ ବନ୍ଦ ରହିଛି । ଏହି ପରିପ୍ରେକ୍ଷୀରେ ବ୍ରହ୍ମଗିରିର ଅଲାରନାଥଙ୍କ ପୀଠରେ ପ୍ରବଳ ଭିଡ ଜମିଛି । ଅଣସର ସମୟରେ ଅଲାରନାଥଙ୍କୁ ଦର୍ଶନ କରି ଯେଉଁ ପୁଣ୍ୟ ଅର୍ଜନ କରାଯାଏ, ତାହା ଜଗନ୍ନାଥଙ୍କୁ ଦର୍ଶନର ପୁଣ୍ୟ ସହ ସମାନ ବୋଲି ବିଶ୍ବାସ କରାଯାଏ । ଅଲାରନାଥଙ୍କୁ ନେଇ ଅନେକ କିମ୍ବଦନ୍ତୀ ରହିଛି । ତେବେ ଖିରି ଭୋଗ ସଂପର୍କରେ ଏକ ଲୋକକଥାକୁ ଏଠାରେ ଉପସ୍ଥାପିତ କରାଯାଇଛି ।
ଏକଦା ଅଲାରନାଥଙ୍କ ସେବାକାର୍ଯ୍ୟରେ ନିଯୁକ୍ତ ପୂଜକ କୌଣସି କାମରେ ଅନ୍ୟ ସ୍ଥାନକୁ ଯାଇଥିଲେ । କିଛିଦିନ ପର୍ଯ୍ୟନ୍ତ ସେ ପୂଜା କାର୍ଯ୍ୟରେ ଅନୁପସ୍ଥିତ ରହିଥିଲେ । ତେଣୁ ତାଙ୍କ ଅନୁପସ୍ଥିତିରେ ତାଙ୍କ ନାବାଳକ ପୁତ୍ରକୁ ପୂଜା କରିବାକୁ ପରାମର୍ଶ ଦେଇଥିଲେ । ପୁତ୍ର ପୂଜାପଦ୍ଧତିରେ ସଂପୂର୍ଣ୍ଣ ଅଜ୍ଞ ଥିଲେ । ନିଜ ଅପରିପକ୍ବ ବୁଦ୍ଧି ଓ ଚପଳତା ସହ ମନ୍ଦିରରେ ବାଳକ ପ୍ରବେଶ କରିଥିଲା । ମାଆ ଦେଇଥିବା ମାଟିହାଣ୍ଡି ଖିରିକୁ ହାତରେ ଧରି ବେଶ୍ ସନ୍ତର୍ପଣରେ ଚାଲୁଥାଏ।
ଅଲାରନାଥଙ୍କ ନିକଟରେ ପହଞ୍ଚି ଖିରି ହାଣ୍ଡିଟିକୁ ତଳେ ରଖିଦେଲା । କିଛି ନ ଜାଣି ଥିବାରୁ କେବଳ ଆଖି ବନ୍ଦ କରି କହିଥିଲା, ‘ଆସ ଅଲାର ଖାଅ ଖିରି, ବାପା ଯାଇଛନ୍ତି କୁଣିଆ ବୁଲି’ । କିଛି ସମୟ ପରେ ଆଖି ଖୋଲିଲା ବେଳକୁ ହାଣ୍ଡିରୁ ଖିରି ଗାଏବ । ଖାଲି ହାଣ୍ଡି ଧରି ଘରକୁ ଫେରିଲା ପୁଅ ଓ ମାଆକୁ ସବୁ ବୃତ୍ତାନ୍ତ କହିଲା ।
ଗରିବ ହୋଇଥିବାରୁ ପ୍ରତିଦିନ ଭୋଗ ହିଁ ପରିବାରର ଆହାର ହୋଇଥାଏ । ମାଆ ଏକଥାକୁ ବିଶ୍ବାସ କଲେ ନାହିଁ । ନାବାଳକ ପୁଅ ଆଉ କାହାକୁ ଠାକୁରଙ୍କ ଖିରି ଦେଇଥିବା ଭାବି ମନ ଦୁଃଖ କଲେ । ଅନ୍ୟପଟରେ ମାଆ ଠାକୁରଙ୍କ ନୀତିରେ ବିଭ୍ରାଟ ହୋଇଥିବା ଭାବି ରାତି ସାରା ଶୋଇପାରିଲେ ନାହିଁ । ଏପରି ଦୁଇଦିନ ଧରି ଖାଲି ହାଣ୍ଡିରେ ପୁଅ ଫେରୁଥିଲା । ପଚାରିଲେ କହେ ଠାକୁର ଖାଇଦେଇଛନ୍ତି । ଦୁଇଦିନ ପରେ ପୂଜକ ଘରକୁ ଫେରିଲେ । ପୂଜକଙ୍କ ସ୍ତ୍ରୀ ପୁଅ ଭୋଗ କରିବାକୁ ଖିରି ନେଇ ବଳକା ଆଣୁ ନଥିବାର ଅଭିଯୋଗ କଲେ ।
ପରଦିନ ପୂଜକ ପୁଅକୁ ଖିରି ହାଣ୍ଡି ଦେଇ ତାପଛେ ପଛେ ଲୁଚିଲୁଚି ଗଲେ । ପୁଅ କାହାକୁ ଖିରି ଦେଉଛି, ତାହା ଦେଖିବା ତାଙ୍କର ଉଦ୍ଦେଶ୍ୟ ଥିଲା । ପୁଅ ସିଧା ମନ୍ଦିର ଭିତରକୁ ଗଲା ଓ ମନ୍ଦିରର କବାଟ ଆଉଜାଇ ଦେଲା । ଏହାର କିଛି କ୍ଷଣ ପରେ ପୂଜକ ହଠାତ୍ କବାଟ ଖୋଲିଦେଲେ । ଯାହା ଦେଖିଲେ ସେ ତଟସ୍ଥ ହୋଇଗଲେ । ସ୍ବୟଂ ଅଲାରନାଥ ନିଜେ ସିଂହାସନରୁ ନଇଁପଡି ଖିରି ଖାଇବାରେ ଲାଗିଛନ୍ତି ।
ପୂଜକ ଆସିଯିବାରୁ ତତଲା ଖିରି ତାଙ୍କ ଡାହାଣ ହାତ ପାପୁଲି, ଛାତି ଓ ଓଠରେ ଲାଗିଯାଇଥିଲା । ଫଳରେ ସେ ସ୍ଥାନ ଗୁଡିକରେ ଫୋଟକା ହୋଇଯାଇଥିଲା । ଏବେ ପର୍ଯ୍ୟନ୍ତ ବି ଅଲାରନାଥଙ୍କ ମୂର୍ତ୍ତୀରେ ଏହି ଧଳା ଫୋଟକାର ଚିହ୍ନ ଦେଖିବାକୁ ମିଳେ । ଏହାପରେ ପୂଜକ ନିଜ ଭୁଲ ପାଇଁ ଅଲାରନାଥଙ୍କୁ କ୍ଷମା ମାଗିଥିଲେ । ଅଲାରନାଥଙ୍କ ଖିରି ପ୍ରିୟ ଥିବାରୁ ଲାଗି ହେଉଥିବା ଖିରି ପ୍ରସାଦ ଗୁଡିକ ବେଶ ସୁସ୍ବାଦୁ ହୋଇଥାଏ ବୋଲି ସ୍ଥାନୀୟ ଲୋକେ ମତ ଦିଅନ୍ତି ।
ବ୍ରହ୍ମଗିରିରେ ଅବସ୍ଥିତ ଅଲାରନାଥ ମନ୍ଦିର ରାଜସ୍ଥାନର ଅଲ୍ବାରର ଶାସକଙ୍କ ଦ୍ବାରା ନିର୍ମିତ ହୋଇଥିବାର ବିଶ୍ବାସ କରାଯାଏ । କଥିତ ଅଛି ସତ୍ୟ ଯୁଗରେ ଏହି ବ୍ରହ୍ମ ପାହାଡ ଉପରେ ସୃଷ୍ଟିକର୍ତ୍ତା ବ୍ରହ୍ମା ବିଷ୍ଣୁଙ୍କ ଉପାସନା କରୁଥିଲେ । ତାଙ୍କ ଉପାସନାରେ ବିଷ୍ଣୁ ସନ୍ତୁଷ୍ଟ ହୋଇଥିଲେ । ତାଙ୍କର ଚାରିହସ୍ତବିଶିଷ୍ଟ ଶଙ୍ଖ, ଚକ୍ର, ଗଦା ଓ ପଦ୍ମଧାରୀ ଏକ ପଥର ମୂର୍ତ୍ତୀ ସହିତ ଗରୁଡଙ୍କ ପ୍ରତିମା ନିର୍ମାଣ କରିବାକୁ ବ୍ରହ୍ମାକୁ ପରାମର୍ଶ ଦେଇଥିଲେ । ତେଣୁ ଏହି ପାହାଡର ନାମ ବ୍ରହ୍ମଗିରି ବା ବ୍ରହ୍ମାଙ୍କ ପାହାଡ ବୋଲି କୁହାଯାଏ । 1510 ମସିହାର ଅଣସର ସମୟରେ ବୈଷ୍ଣବ ଧର୍ମ ପ୍ରଚାରକ ଚୈତନ୍ୟ ଏଠାରେ କିଛିଦିନ ରହିଥିଲେ । ପ୍ରତିବର୍ଷ ଅଣସର ସମୟରେ ଅଲାରନାଥ ମନ୍ଦିରରେ ଭକ୍ତମାନଙ୍କର ପ୍ରବଳ ଭିଡ ହୋଇଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ