ପୁରୀ: ମେଡିସିନ ଦୋକାନରୁ ଲୁଟ । ଦୋକାନ ସଟର ତାଡି ଟଙ୍କା ସହିତ ଔଷଧ ଲୁଟି ନେଲା ଲୁଟେରା । ପୁରୀ ସହରରେ ଦିନକୁ ଦିନ ଲୁଟେରାଙ୍କ ଉତ୍ପାତ ବଢିବାରେ ଲାଗିଛି । ଗୁରୁବାର ବିଳମ୍ବିତ ରାତିରେ ଲୋକନାଥ ରୋଡ ଷଣ୍ଢ ଜାଗା ସମ୍ମୁଖ ଗୋଛିକାର ମେଡିସିନ ଦୋକାନରୁ ସଟର ଭାଙ୍ଗି 25 ହଜାର ଟଙ୍କା ସମେତ ମେଡିସିନ ସାମଗ୍ରୀ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଏ ଯାଏଁ ବି କୌଣସି ଦୁର୍ବୃତ୍ତଙ୍କ ଟେର ମିଳିନି ।
ସୂଚନା ମୁତାବକ, ମେଡିସିନ ଦୋକାନ ମାଲିକ ନୃସିଂହ ଗୋଛିକାର ଗୁରୁବାର ରାତି 12 ଟାରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ଶୁକ୍ରବାର ସକାଳେ ଦୋକାନ ଖୋଲାବାକୁ ଆସିବାରୁ ଦୋକାନ ସଟର ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ବାସେଳୀ ସାହି ଥାନାରେ ଲିଖିତ କରିଛନ୍ତି । ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି । ତେବେ ଦୋକାନ ନିକଟସ୍ଥ ଏକ ସିସିଟିଭରେ ଲୁଟର ସମସ୍ତ ଘଟଣା କଏଦ ହୋଇଛି । ତିନି ଜଣ ବ୍ୟକ୍ତି ଏକ ବାଇକରେ ଆସି ରାତି 2 ଟାରେ ଦୋକାନରୁ ଚୋରି କରିଛନ୍ତି । ହେଲେ ଏ ଯାଏଁ ବି କୌଣସି ଦୁର୍ବୃତ୍ତଙ୍କ ଟେର ପାଇନି ପୋଲିସ ।
ତେବେ କିଛି ଦିନ ହେବ ସହରର ବିଭିନ୍ନ ଦୋକାନରୁ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଲୁଟପାଟ କରୁଥିବା ବେଳେ ଏହାକୁ ନେଇ ବ୍ୟବସାୟୀ ମହଲରେ ଆତଙ୍କ ଖେଳି ଯାଇଛି । ପୋଲିସର ପେଟ୍ରୋଲିଂ ଭଲ ଭାବେ ହେଉ ନ ଥିବା ଯୋଗୁଁ ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଲୁଟ କରୁଥିବା ଅଭିଯୋଗ ହୋଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ