ପୁରୀ: ଆଉ ତିନି ଦିନ ପରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଚଳିତ ରଥଯାତ୍ରାକୁ ଶୃଙ୍ଖଳିତ ତଥା ସୁରକ୍ଷିତ ଭାବେ ସମ୍ପର୍ଣ୍ଣ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ୱୟର ଏକ ମକଡ୍ରିଲ ଟାଉନ ଥାନା ପରିସରରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବିଭିନ୍ନ ଦିଗକୁ ନେଇ ଆଲୋଚନା ହୋଇଥିଲା । ରଥଯାତ୍ରା ସମୟରେ କୌଣସି ଘଟଣା ଦୁର୍ଘଟଣା ଘଟିଲେ କିପରି ତାହାର ସଫଳ ମୁକାବିଲା ତ୍ୱରାନ୍ୱିତ ଭାବରେ କରାଯାଇ ପାରିବ ତାହାର କୌଶଳ ପ୍ରଦର୍ଶନ କରାଯାଇ ସଚେତନ କରାଯାଇଥିଲା।
ତିନି ଦିନ ପରେ ମହାପ୍ରଭୁଙ୍କ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରାରେ ସାମିଲ ହେବେ ଲକ୍ଷ ଲକ୍ଷ ଭକ୍ତ । ସିଂହଦ୍ଵାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଭକ୍ତଙ୍କ ଗହଳି ଚହଳି ଲାଗି ରହିବ । ଲକ୍ଷାଧିକ ଜନ ସମାଗମକୁ ଦୃଷ୍ଟିରେ ରଖି କୌଣସି ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସମସ୍ତ ପରିସ୍ଥିତିକୁ ସାମ୍ନା କରିବା ଲାଗି ଅର୍ଥାତ ଗହଳିରେ କିଏ ଆଘାତ ପ୍ରାପ୍ତ ହେବ ଏବଂ କେହି ଅଣନିଶ୍ବାସୀ ହେବେ ସେଥିପାଇଁ ଗ୍ରୀନ କରିଡର ବ୍ୟବସ୍ଥା କରାଯାଇଛି । ଏହାଦ୍ବାରା ସ୍ବେଚ୍ଛାସେବୀ ମାନେ ଷ୍ଟେଚର ମାଧ୍ୟମରେ ଆମ୍ବୁଲାନ୍ସ ପାଖକୁ ଆଣି ପୁରୀ ଡାକ୍ତଖାନାକୁ ନେବେ। ତେବେ ସେହି ସମୟରେ ଯେପରି ଆମ୍ବୁଲାନ୍ସଟି ବିନା ବାଧାରେ ପୁରୀ ଡାକ୍ତରଖାନାରେ ପହଞ୍ଚି ପାରିବ ତା' ଉପରେ ଧ୍ୟାନ ଦିଆଯାଇଛି । ସେଣ୍ଟଜୋନ୍ ଆମ୍ବୁଲାନ୍ସ, ରେଡକ୍ରସ, ଆପଦମିତ୍ର, ସେଣ୍ଟଜନ ଜଗନ୍ନାଥଧାମ ଓ ହାପିନେସ୍ ଫାଉଣ୍ଡେସନ ଡିଭିଜନ, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ, ସ୍ବାଉଟ ଆଣ୍ଡ ଗାଇଡ, ରୋଭର ଓ ରେଞ୍ଜର ମାନେ ଗ୍ରୀନ କରିଡର କରି ତା'ରି ମଧ୍ୟରେ ଆମ୍ବୁଲାନ୍ସ ଯାତୟାତ କରିବା ସହ ଭକ୍ତ ମାନଙ୍କୁ ସହଡରେ ନେବା ଆଣିବା କରିପାରିବେ ସେନେଇ ମଧ୍ୟ ମକଡ୍ରିଲ ହୋଇଛି ।
ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, "ଚଳିତ ରଥଯାତ୍ରାରେ ଅଧିକ ଶ୍ରଦ୍ଧାଳୁଙ୍କ ଯୋଗ ଦାନ ଆଶା କରାଯାଉଛି । ତେଣୁ ଆମକୁ ଯାତ୍ରୀଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି । ସମସ୍ତ କାର୍ଯ୍ୟକୁ ବିଭିନ୍ନ ବିଭାଗ ସଠିକ ଭାବେ ପରିଚାଳନା କରୁଛନ୍ତି । ତାହାର ଏକ ବାସ୍ତବ ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ମକଡ୍ରିଲର ପରିକଳ୍ପନା । ଏହାଦ୍ୱାରା ଆମେ ସଶକ୍ତ ହେବା ସହ କାର୍ଯ୍ୟକୁ ଖୁବ ଭଲ ଭାବରେ ପରିଚାଳନା କରିବାର ଅଭିଜ୍ଞତା ହାସଲ କରିବୁ ।"
ଆୟୋଜିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଡଃ. ଶରତ ଚନ୍ଦ୍ର ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ ,ଡେପୁଟି କଲେକ୍ଟର ଜିତେନ୍ଦ୍ର କୁମାର ପାତ୍ର, ରାକେଶ କୁମାର ପଣ୍ଡା, ବିଭିନ୍ନ ବିଭାଗର ଅଧିକାରୀ, ପୋଲିସ ଅଧିକାରୀ, ସ୍ବେଚ୍ଛାସେବୀ ମାନେ ଏହି ମକଡ୍ରିଲରେ ଯୋଗ ଦେଇଥିଲେ । ପରେ ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ, ମେଡିକାଲ, ପୋଲିସ, ପରିବହନ, ଆମ୍ବୁଲାନ୍ସ , ପୂର୍ତ୍ତ ବିଭାଗ, ପୌର ପ୍ରଶାସନ ଇତ୍ୟାଦି ବିଭାଗର ସମ୍ମିଳିତ ମକଡ୍ରିଲର କାର୍ଯ୍ୟକୁ ଇଣ୍ଟିଗ୍ରେଟେଡ୍ ନିୟନ୍ତ୍ରଣ କକ୍ଷ ମାଧ୍ୟମରେ ପରିଚାଳନା କରାଯାଇଥିଲା ।
ଇଟିଭି ଭାରତ, ପୁରୀ