ପୁରୀ: ରାତି ପାହିଲେ ଚଳଚଞ୍ଚଳ ହୋଇ ଉଠେ ଶ୍ରୀକ୍ଷେତ୍ର । ପୁରୀ ଧାମକୁ ଧାଇଁ ଆସନ୍ତି ଲକ୍ଷ ଲକ୍ଷ ଭକ୍ତ । କିନ୍ତୁ ବର୍ଷା ଦିନରେ ଭୟ ବଢ଼ାଇଛି ମୁକୁଳା ଡ୍ରେନ । ରାସ୍ତା ଘାଟ ଗଳି କନ୍ଦି ଯୁଆଡ଼େ ଦେଖିବେ ସିଆଡ଼େ ଖୋଲା ପଡିଛି ଡ୍ରେନ୍ । ମୁକୁଳା ଡ୍ରେନକୁ ନେଇ ଚିନ୍ତାରେ ସହରବାସୀ । କେତେବେଳେ ବି ମୁକୁଳା ଡ୍ରେନ୍ ନେଇ ପାରେ ଲୋକଙ୍କ ଜୀବନ । ସହରର ବଳିଆପଣ୍ଡା, ସିଦ୍ଧମହାବୀର, ଚକ୍ରତୀର୍ଥ ରୋଡ୍, ତାଳବଣିଆ, ରେଡ୍କ୍ରସ୍ ରୋଡ ସହ ବିଭିନ୍ନ ଗଳିକନ୍ଦିରେ ମୁକୁଳା ହୋଇ ପଡିଛି ଡ୍ରେନ୍। ମୌସୁମୀ ବର୍ଷା ଆରମ୍ଭ ହୋଇସାରିଥିବା ବେଳେ ରାସ୍ତାରେ ପାଣି ଜମୁଛି। ଫଳରେ ଡ୍ରେନ୍ ଓ ରାସ୍ତା ଏକାକାର ହୋଇପଡ଼ିବାରୁ ଯାତାୟତ ବେଳେ ବାଧା ଉପୁଜୁଛି । ବିଭିନ୍ନ ସମୟରେ ମୁକୁଳା ଡ୍ରେନରେ ପଡ଼ି ଅନେକ ଲୋକଙ୍କ ଜୀବନ ଯିବାର ଆଶଙ୍କା ବଢ଼ିବାରେ ଲାଗିଛି ।
ନିକଟରେ କଟକ ସହରରେ ଏହି ମୁକୁଳା ଡ୍ରେନ ଯୋଗୁଁ ଦୁଇ ଦୁଇଟି ନୀରିହ ଜୀବନ ଚାଲି ଯାଇଛି । କଟକ ସହରରେ ଘଟିଥିବା ଏହି ଅଘଟଣରୁ କିନ୍ତୁ କିଛି ଶିକ୍ଷା ପାଇ ପାରିଲା ନାହିଁ ପୁରୀ ପୌରପାଳିକା । ପ୍ରତିବର୍ଷ ଡ୍ରେନ୍ ଉପରେ ସ୍ଲାବ୍ ପକାଇବା ପାଇଁ କୋଟି କୋଟି ଟଙ୍କା ଅର୍ଥ ଖର୍ଚ୍ଚ ହେଉଥିବା ବେଳେ ଏହି ଅର୍ଥ କୁଆଡେ ଯାଉଛି ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି । ମୁକୁଳା ଡ୍ରେନ୍ରେ ସ୍ଲାବ୍ ପକାଯାଉଥିବା ନେଇ ପୌର ଅଧିକାରୀ ବାହାସ୍ପଟ ମାରୁଥିବା ବେଳେ ପ୍ରକୃତ ପକ୍ଷେ କାର୍ଯ୍ୟ କିନ୍ତୁ ଶୂନ । ଯଦି ମୁକୁଳା ଡ୍ରେନ୍ରେ ପଡ଼ି କାହାର ପ୍ରାଣ ଚାଲିଯାଏ ତେବେ ଏଥିପାଇଁ ପୌର ଅଧିକାରୀ ଦାୟୀ ରହିବେ କି ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ ଓ ସହରବାସୀ ।
ଏହା ମଧ୍ୟ ପଢନ୍ତୁ-ବନ୍ଧୁ ଘର ବୁଲି ଆସିଥିଲେ, ମୁକୁଳା ଡ୍ରେନରେ ପଡି ଚାଲିଗଲା ଯୁବକଙ୍କ ଜୀବନ
ଗତ ୨୦୨୨ ମେ' ୧୮ ଓ ନଭେମ୍ବର ୬ ତାରିଖରେ ପୁରୀ ବଡ଼ଦାଣ୍ଡର ମାର୍କେଟ ଛକ ଏବଂ ରେଡ୍କ୍ରସ୍ ରୋଡ୍ରେ ଥିବା ମୁକୁଳା ଡ୍ରେନ୍ରେ ପଡ଼ି ଦୁଇଜଣ ବ୍ୟକ୍ତିଙ୍କ ଜୀବନ ଯାଇଥିଲା । ଏହାପରେ ପୁରୀ ସହରର ସମସ୍ତ ଡ୍ରେନ୍ରେ ସ୍ଲାବ୍ ପକାଯାଇ ଘୋଡ଼ାଯିବ ବୋଲି ପୌର ଅଧିକାରୀ ସରୋଜ କୁମାର ସ୍ବାଇଁ ପ୍ରତିଶ୍ରୁତି ଦେଇଥିଲେ । ତେବେ ଏହା ମଧ୍ୟରେ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ସ୍ଥିତି କିନ୍ତୁ ବଦଳି ପାରିଲା ନାହିଁ । ବଳିଆପଣ୍ଡା, ସମୁଦ୍ର କୂଳ, ସିଦ୍ଧମହାବୀର, ତାଳବଣିଆ ଏବଂ ସହରର ଅଧିକାଂଶ ଗଳିକନ୍ଦିରେ ମୁକୁଳା ଡ୍ରେନରେ ସ୍ଲାବ୍ ପଡିପାରିଲା ନାହିଁ । କେବଳ କାଗଜ କଲମରେ ସୀମିତ ରହିଯାଇଛି ମୁକୁଳା ଡ୍ରେନ୍ରେ ସ୍ଲାବ୍ ପକାଇବା କାର୍ଯ୍ୟ।
ଏହାକୁ ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, "ସ୍ବତନ୍ତ୍ର ଡ୍ରାଇଭ୍ରେ ସହରରେ ବିଭିନ୍ନ ସ୍ଥାନରେ ଥିବା ମୁକୁଳା ଡ୍ରେନ୍ ଉପରେ କଭର ପକା ଯାଇଥିଲା। କିନ୍ତୁ, ସହର ବଢ଼ୁବା ସହ ନୂଆ ନୂଆ ଅଞ୍ଚଳ ସୃଷ୍ଟି ହେଉଥିବାରୁ ଏଭଳି ଡ୍ରାଇଭର ସଂପ୍ରସାରଣର ଆବଶ୍ୟକତା ରହିଛି । ଏହାକୁ ନେଇ ଅଡିଟ୍ କରାଯିବ। ଯେଉଁଠି ବି ସମସ୍ୟା ରହିଛି ସେଠାରେ ଆବଶ୍ୟକ ପଦକ୍ଷେପ ନିଆଯିବ ।"
ପୌର ଅଧିକାରୀ ସହରରେ ଡ୍ରେନେଜ୍ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଘନଘନ ବୈଠକ କରୁଥିବା ବେଳେ ଏହି ବୈଠକ କାହା ସ୍ବାର୍ଥରେ କରାଯାଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ମୁକୁଳା ଡ୍ରେନ୍ ସମ୍ପର୍କରେ ପୁରୀ ପୌର ଅଧିକାରୀଙ୍କ ସହ ଆମେ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ । ଏପଟେ ମୁକୁଳା ଡ୍ରେନ୍ଗୁଡ଼ିକରେ ତୁରନ୍ତ ସ୍ଲାବ୍ ପକାଯାଇ କିଭଳି ଘୋଡ଼ା ଯାଇପାରିବ ସେନେଇ ପୌର ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ।
ଇଟିଭି ଭାରତ, ପୁରୀ