ପୁରୀ: ଆଗାମୀ 22 ତାରିଖରେ ଅଯୋଧ୍ୟାରେ ବହୁ ପ୍ରତୀକ୍ଷିତ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ହେବ । ଏହିଦିନ ପ୍ରଭୁ ଶ୍ରୀରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ମଧ୍ୟ ଅନୁଷ୍ଠିତ ହେବ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଦେଶରେ ଥିବା ପ୍ରମୁଖ ଦେବପୀଠରେ ପହଞ୍ଚି ଏହି କାର୍ଯ୍ୟକ୍ରମ ପାଇଁ ଦେବ ନିମନ୍ତ୍ରଣ କରାଯାଉଛି । ଏହିକ୍ରମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ରାମ ମନ୍ଦିର ପ୍ରତିଷ୍ଠା ଓ ଶ୍ରୀରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରାଯାଇଛି । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଏହି ନିମନ୍ତ୍ରଣ କାର୍ଯ୍ୟକ୍ରମ କରାଯାଇଛି । ଶ୍ରୀରାମ ମନ୍ଦିର ଅଭ୍ୟର୍ଥନା କମିଟି ସଦସ୍ୟ ମାନେ ନିମନ୍ତ୍ରଣ ପତ୍ର ଆଣି ମହାପ୍ରଭୁଙ୍କ ନିକଟରେ ଅର୍ପଣ କରିଛନ୍ତି ।
ପରମ୍ପରା ଅନୁଯାୟୀ ଏକ ମାଟି ସରାରେ ଅରୁଆ ଚାଉଳ, ଗୁଆ, ପାନ, ପଇତା, ନଡ଼ିଆ, କପଡ଼ା ସହ ନିମନ୍ତ୍ରଣ ପତ୍ର ରଖାଯାଇ ମହାପ୍ରଭୁଙ୍କୁ ଅର୍ପଣ କରାଯାଇଛି । ମହାପ୍ରଭୁ ଉକ୍ତ କାର୍ଯ୍ୟରେ ସ୍ଵୟଂ ଉପସ୍ଥିତ ରହି ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଓ ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ସଫଳ କରନ୍ତୁ ବୋଲି ପ୍ରାର୍ଥନା କରାଯାଇଛି । ତେବେ ଆଗାମୀ 22 ତାରିଖରେ ଏହି ପବିତ୍ର ଉତ୍ସବରେ ଓଡ଼ିଶାବାସୀ ଘର ନିକଟରେ ଥିବା ଦେବାଳୟରେ ଭଜନ କୀର୍ତ୍ତନ କାର୍ଯ୍ୟକ୍ରମ ସହ ଘରେ ଘରେ ଦୀପ ଜାଳି ଏହି ଉତ୍ସବକୁ ପାଳନ କରିବାକୁ ରାମ ମନ୍ଦିର ଅଭ୍ୟର୍ଥନା କମିଟି ଆହ୍ଵାନ ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ସଜେଇ ହେଲାଣି ଅଯୋଧ୍ୟା ତୀର୍ଥକ୍ଷେତ୍ର ପୁରମ, ୧୦ ହଜାରରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ
ପ୍ରକାଶଯୋଗ୍ୟ, ଆସନ୍ତା ଜାନୁଆରୀ ୨୨ ତାରିଖରେ ପ୍ରତିଷ୍ଠା ହେବ ବହୁ ପ୍ରତୀକ୍ଷିତ ରାମ ମନ୍ଦିର । ପ୍ରଭୁ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ପ୍ରସ୍ତୁତି ପର୍ବ ଜୋରସୋରରେ ଆଗେଇ ଚାଲିଛି । କେବଳ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଦ୍ବାରା ଆମନ୍ତ୍ରିତ ସଦସ୍ୟମାନଙ୍କୁ ପରିସର ମଧ୍ୟରେ ପ୍ରବେଶର ଅନୁମତି ରହିଛି । ନିମନ୍ତ୍ରିତ ଅତିଥିମାନଙ୍କ ସଂଖ୍ୟା ପ୍ରାୟ ୧୦,୦୦୦ରୁ ଅଧିକ ହେବ ବୋଲି ଜଣାପଡ଼ିଛି । ଏପରି ପରିସ୍ଥିତିରେ ଅଯୋଧ୍ୟାରେ ଅତିଥିମାନଙ୍କର ରହିବା ଏବଂ ଭୋଜନର ବ୍ୟବସ୍ଥା ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଏହାକୁ ଲକ୍ଷ୍ୟରେ ରଖି ଟ୍ରଷ୍ଟ ତରଫରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହାରି ମଧ୍ୟରେ ଜାରି ରହିଛି ଦେବ ନିମନ୍ତ୍ରଣ । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଦ୍ବାରା ବିଭିନ୍ନ ଟିମ୍ କରାଯାଇ ଦେଶ ବିଦେଶରେ ଥିବା ବିଭିନ୍ନ ହିନ୍ଦୁ ଦେବପୀଠରେ ଦେବ ନିମନ୍ତ୍ରଣ କରାଯାଉଛି ।
ଇଟିଭି ଭାରତ, ପୁରୀ