ପୁରୀ: ପୁଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅପମାନ । କୋଟି ଓଡିଆଙ୍କ ମଉଡମଣି ମହାପ୍ରଭୁ ଜଗନ୍ନାଥଙ୍କୁ ଅବମାନନା । ଏକ ଟ୍ରଲିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ପ୍ରଭୁ ବଳଭଦ୍ରଭକ୍ତଙ୍କ ମୂର୍ତ୍ତି ବୁହା ହୋଇ ଯାଉଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓକୁ ଦେଖି ଲୋକଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି । କୋଟି କୋଟି ଓଡିଆଙ୍କ ଭାବାବେଗକୁ ଆଘାତ ଦେଇଛି ଭିଡିଓଟି । କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଦାବି ହୋଇଛି । ଶ୍ରୀକ୍ଷେତ୍ର ପୁରୀରେ ଏହି ଭିଡିଓ ସାମ୍ନାକୁ ଆସିଛି ।
ମହାପ୍ରଭୁଙ୍କ କ୍ଷେତ୍ର ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ଏକ ଟ୍ରଲିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ପ୍ରଭୁ ବଳଭଦ୍ରଙ୍କୁ ପୁରୀ ପୋଲିସ ଲାଇନ ଛକଠାରେ ନିଆଯାଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଟ୍ରଲିରେ କାଳିଆ ସାଆନ୍ତେ ଓ ବଡଠାକୁର ବଳଭଦ୍ରଙ୍କ ମୂର୍ତ୍ତୀ ରଖାଯାଇଛି । ଚାଳକ ଟ୍ରଲିଟିକୁ ଆଗକୁ ନେଉଥିବା ବେଳେ ଟ୍ରଲିରେ ଆଉ ଜଣେ ବ୍ୟକ୍ତି ମଧ୍ୟ ବସିଥିବା ଭିଡିଓରେ ଦେଖିବାକୁ ମିଳିଛି ।
ଏଭଳି ଦୃଶ୍ୟ ସହରବାସୀ ତଥା ଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଆଘାତ ଲାଗିଛି । ମହାପ୍ରଭୁଙ୍କୁ ଏଭଳି ଟ୍ରଲିରେ ବୋହିକି ନେବା କେତେଦୂର ଠିକ୍ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଭଳି ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ଦାବି ହୋଇଛି । ଜଗନ୍ନାଥ ପ୍ରେମୀଙ୍କ ମହଲରେ ଏନେଇ ଉଦବେଗ ପ୍ରକାଶ ପାଇଛି । କୋଟି ଓଡିଆଙ୍କ ମଉଡମଣିଙ୍କୁ ଏପରି ଅବମାନନା ଓଡିଆ ଜାତିଙ୍କ ଭାବାବେଗକୁ ଆଘାତ ଦେଇଛି ।
ଏହା ବି ପଢନ୍ତୁ...ମହାପ୍ରଭୁଙ୍କୁ ଅବମାନନା, ଗାଡି ପଛରେ ବାନ୍ଧି ନେଉଥିବା ଭିଡିଓ ଭାଇରାଲ
ଏହା ବି ପଢନ୍ତୁ...ଶ୍ରୀମନ୍ଦିର ନିକଟରେ ଟ୍ରଲିରେ ବନ୍ଧାହୋଇ ବୁହାହେଲେ ମହାପ୍ରଭୁ, ଉଠିଲା କାର୍ଯ୍ୟାନୁଷ୍ଠାନ ଦାବି
ତେବେ ମହାପ୍ରଭୁ ଜଗନ୍ନାଥଙ୍କୁ ଅବମାନନା କରିବା ଘଟଣା ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ଏହିପରି ଘଟଣା ସାମ୍ନାକୁ ଆସିଛି । ଗତବର୍ଷ ପୁରୀରୁ କିଛି ଏହିପରି ଭଳି ଚିତ୍ର ସମ୍ନାକୁ ଆସିଥିଲା । ଏକ ଟେଣ୍ଟ ହାଉସ କର୍ମଚାରୀ ଏକ କାର୍ଯ୍ୟକ୍ରମ ସାରିବା ପରେ ଟ୍ରଲିରେ ମହାପ୍ରଭୁଙ୍କୁ ବାନ୍ଧି ବୋହି ନେଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଟେଣ୍ଟ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା । ସେହିପରି 2022ରେ ବଡଠାକୁରଙ୍କୁ ଅବମାନନା କରିଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା । ବାଲେଶ୍ବର 60 ନମ୍ବର ଜାତୀୟ ରାଜପଥ ହଳଦୀପଦାରେ ମହାପ୍ରଭୁଙ୍କୁ ଏକ ଟ୍ରକ ପଛରେ ବାନ୍ଧି ନେଉଥିବାର ଭିଡିଓ ସାମ୍ନାକୁ ଆସିଥିଲା । ପରବର୍ତ୍ତୀ ସମୟରେ ଟେଣ୍ଟ ମାଲିକ ମହାପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ।
ଇଟିଭି ଭାରତ, ପୁରୀ