ପୁରୀ: ପବିତ୍ର ପଞ୍ଚୁକରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପ୍ରତିଦିନ ଏକ ଲକ୍ଷରୁ ଅଧିକ ଭକ୍ତ ଶ୍ରୀମନ୍ଦିରକୁ ଆସୁଛନ୍ତି । ଏଣୁ ଶ୍ରୀମନ୍ଦିରରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ତେବେ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କେବଳ ବାହାର କାଠ ନିକଟରେ ଦର୍ଶନ ବ୍ୟବସ୍ଥା ହେଇଛି । ପଞ୍ଚୁକ ୫ ଦିନ ବାହାର କାଠ ନିକଟରେ ଦର୍ଶନ ହେବ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାଶ ।
ପଞ୍ଚୁକରେ ମହାପ୍ରଭୁଙ୍କ ବେଶ ନିତି ସହ ଧୂପ ନୀତି ରହିଛି । ଭିତର କାଠ ଦର୍ଶନ ପାଇଁ ଭକ୍ତଙ୍କୁ ଛଡ଼ା ଗଲେ ମହାପ୍ରଭୁଙ୍କ ନିତିରେ ବିଳମ୍ବ ହେବା ସହ ଭକ୍ତଙ୍କ ଦର୍ଶନ ନେଇ ସମସ୍ୟା ଉପୁଜିବ । ଏଣୁ ଶୃଙ୍ଖଳିତ ଦର୍ଶନ ପାଇଁ ବାହାର କାଠ ନିକଟରେ ଦର୍ଶନ ବ୍ୟବସ୍ଥା ହୋଇଛି । ଭକ୍ତଙ୍କ ସୁବିଧା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାରିକେଡ଼, ଟଏଲେଟ୍, ପାନୀୟ ଜଳ ବ୍ୟବସ୍ଥା, ବିଶ୍ରାମ ସ୍ଥଳୀ ନିର୍ମାଣ ହୋଇଛି । ବୟସ୍କ, ଦିବ୍ୟାଙ୍ଗ ଭକ୍ତମାନଙ୍କୁ ସହାୟତା ପାଇଁ ସ୍ୱେଛାସେବୀଙ୍କୁ ମୁତୟନ କରଯାଇଛି । ମହାପ୍ରଭୁଙ୍କ ନିତି କିଭଳି ଶୃଙ୍ଖଳିତ ହୋଇପାରିବ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଓ ସେବାୟତଙ୍କ ମିଳିତ ଉଦ୍ୟମରେ ସବୁ କାର୍ଯ୍ୟ କରାଯାଉଛି ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ସେପଟେ କାର୍ତ୍ତିକ ପୂର୍ଣ୍ଣିମା ଶେଷ ପରେ 28 ତାରିଖରୁ ଶ୍ରୀ ମନ୍ଦିର ରତ୍ନ ଭଣ୍ଡାରର ଲେଜର୍ ସ୍କାନୀଙ୍ଗ ହେବ। ଏଏସଆଇ ପକ୍ଷରୁ ବାହାରୁ ରତ୍ନ ଭଣ୍ଡାର ଲେଜର୍ ସ୍କନିଂ ହେବ। କେଉଁ ସ୍ଥାନରେ ଫାଟ ହୋଇଚି ଚିହ୍ନଟ କରାଯିବ । ପରେ ଏହାର ମରାମତି ନେଇ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାଶ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ....ମହାପ୍ରଭୁଙ୍କ ବାଙ୍କଚୂଡା ବେଶ ଦର୍ଶନ କଲେ ହଜାର ହଜାର ଭକ୍ତ
ପଞ୍ଚୁରେ ଶ୍ରୀମନ୍ଦିରକୁ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖାଯାଇ ବ୍ୟପାକ ବ୍ୟବସ୍ଥା ହୋଇଥିବା ପୁରୀ ଏସପି ସୁଚନା ଦେଇଛନ୍ତି ।ସେ କହିଛନ୍ତି ,"ଭକ୍ତଙ୍କ ମତାମତ ନିଆଯାଇ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଉଛି । ଭକ୍ତଙ୍କ ସହାୟତା ପାଇଁ ପୁରୀ ପୋଲିସ ପକ୍ଷରୁ ହୋଇଥବା ସ୍ଵେଚ୍ଛାସେବୀ ବାହିନୀ ଯୁବ ବାହିନୀକୁ କାର୍ଯ୍ୟରେ ଲଗାଯାଇଛି । ତେବେ ଆଗକୁ କାର୍ତ୍ତିକ ପୁର୍ଣିମା ରହିଛି । ସେହିପରି ଛୁଟି ଦିନରେ ଶନିବାର, ରବିବାର ରହିଛି । ଏଣୁ ପ୍ରବଳ ଭକ୍ତଙ୍କ ସମାଗମ ଆଶଙ୍କା କରାଯାଇଛି । ଏଣୁ ବାରିକେଡକୁ ବଡ ଦାଣ୍ଡର ମାର୍କେଟ ଛକ ଯାଏ ବର୍ଦ୍ଧିତ କରାଯିବ ।"
ସେ ଆହୁରୀ ମଧ୍ୟ କହିଛନ୍ତି," ଟ୍ରାଫିକ ସୁପରିଚାଳନା ପାଇଁ ସ୍ଵତନ୍ତ୍ର ଯୋଜନା ରହିଛି । ଏଥିପାଇଁ ସ୍ଵତନ୍ତ୍ର ଭାବେ ଅଫିସରମାନଙ୍କୁ ମୁତୟନ କରାଯାଇଛି । ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ଭିଡ଼ ଅଧିକ ରହୁଥିବାରୁ ଟ୍ରାଫିକ ରେଗୁଲେଶନ, ସହ ସୁରକ୍ଷା ପାଇଁ ପାଟ୍ରୋଲିଂ ହେଉଛି । ପୁରୀକୁ ଆସିଥିବା ଭକ୍ତ, ପର୍ଯ୍ୟଟକଙ୍କ ଯାତାୟତ ସହ ସୁରକ୍ଷା ପାଇଁ ପୋଲିସ ସମ୍ପୂର୍ଣ ପ୍ରସ୍ତୁତ ରହିଛି ।"
ଇଟିଭି ଭାରତ, ପୁରୀ