ପୁରୀ: ଚର୍ଚ୍ଚିତ କାକଟପୁର ନାବାଳିକା ମୃତ୍ୟୁ ଘଟଣାରେ ଜୋରସୋରରେ ଆରମ୍ଭ ହୋଇଛି ପୋଲିସ ତଦନ୍ତ । ପ୍ରାଥମିକ ତଦନ୍ତରୁ ଘଟଣାର କୌଣସି ସୁରାକ ମିଳିନଥିବା ବେଳେ 2 ଜଣଙ୍କୁ ପଚରା ଉଚରା ଜାରି ରହିଥିବା ସୂଚନା ଦେଇଛି ପୋଲିସ । ଯେଉଁଭଳି ଭାବେ ନଦୀ ପଠାରୁ ନାବାଳିକାର ମୃତଦେହ ମିଳିଛି ସେଥିରୁ ତାଙ୍କୁ ଦୁଷ୍କର୍ମ କରି ନଦୀରେ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି ।
ସୂଚନା ଅନୁଯାୟୀ ଗୁରୁବାର କାକଟପୁର ଥାନା ବଉରିଆକଣ ଦେବୀ ନଦୀ କୂଳରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଘଟଣାରେ ପୁରୀ ଏସପିଙ୍କ ସୂଚନା ଅନୁଯାୟୀ ନାବାଳିକାର ମୃତଦେହରେ କୌଣସି ଅସ୍ବାଭାବିକ ବା କ୍ଷତ ଚିହ୍ନ ନାହିଁ । ତଥାପି ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।
ତେଣେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଯଦି କିଛି ସୁରାକ ମିଳେ ତାହେଲେ ପୋଲିସ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରକାଶ କରିଛନ୍ତି ଏସପି ଉମାଶଙ୍କର ଦାସ । ସେହିପରି ମୃତଦେହର ପରୀକ୍ଷା ନିରୀକ୍ଷା ପାଇଁ ଫରେନସିକ ଡ଼ାକ୍ତରଙ୍କ ସହ ଆଲୋଚନା ମଧ୍ୟ ହୋଇଥିବା ଜଣାପଡିଛି । ଅନ୍ୟପଟେ ମୃତ ନାବାଳିକାର ବାପା ଓ ମା’ଙ୍କୁ ମଧ୍ୟ ପୋଲିସ ପଚରା ଉଚରା ଜାରି ରଖି ନାବାଳିକା ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ