ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ମୁଖ ଥିବା କେକକୁ କାଟି ଖାଇବାକୁ ନେଇ ବିଭିନ୍ନ ମହଲରେ ଉଦବେଗ । ଦୋଷୀ ବ୍ୟକ୍ତି ବିଶେଷ କ୍ଷମା ନ ମାଗିଲେ କଡ଼ା ବିରୋଧ ନେଇ ଚେତାବନୀ ଦେଲା ଶ୍ରୀଜଗନ୍ନାଥ ସେନା । ପୁଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅସମ୍ମାନ । ପ୍ରଜାତନ୍ତ୍ରର ୭୫ତମ ପୂରଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ସମ୍ମାନୀତ ହୋଇଥିବା ଖୁସିରେ ଜୟ ଜଗନ୍ନାଥ ସେବା ସମିତି ନାମକ ଏକ ଅନୁଷ୍ଠାନ ମହାପ୍ରଭୁଙ୍କୁ ଅସମ୍ମାନ କରିଥିବା ଦେଖିବାକୁ ମିଳିଛି । ଯାହା ଜଗନ୍ନାଥ ପ୍ରେମୀଙ୍କୁ ବଡ ଆଘାତ ଦେଇଛି ।
ସମ୍ମାନିତ ହେବା ଖୁସିରେ ସଂପୃକ୍ତ ଅନୁଷ୍ଠାନ ଯେଉଁ କେକ କାଟି ମୌଜ କରିଥିଲେ ସେହି କେକରେ ନିଳଚକ୍ର, ରାମାନନ୍ଦି ଚିତା ଆଉ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚିତ୍ର ରହିଛି । ଏହି କେକକୁ କାଟି ଖାଇବା ବେଳେ ମହାପ୍ରଭୁଙ୍କ ଚିତ୍ରକୁ କାଟି ଖାଉଥିବା ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଛି । ନିଜ ଅନୁଷ୍ଠାନର ପ୍ରଚାର ପ୍ରସାର ବଢିବା ପାଇଁ ଯେଉଁ ଅନୁଷ୍ଠାନ ତାଙ୍କ ଲୋଗରେ ମହାପ୍ରଭୁଙ୍କ ଫଟୋକୁ ବ୍ୟବହାର କରିଛି ସେମାନେ କିଭଳି ଏତେ ଦାୟିତ୍ୱହୀନ କାର୍ଯ୍ୟ କରୁଛନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ଏକ ନିନ୍ଦନୀୟ ଘଟଣା।
ଏଭଳି ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି ଶ୍ରୀଜଗନ୍ନାଥ ସେନା । ଜଗନ୍ନାଥ ମହାପ୍ରଭୁଙ୍କୁ କେକ ବନେଇ ତାଙ୍କୁ ଖଣ୍ଡ ଖଣ୍ଡ କରି କାଟି ଖାଇବା ଆଦୌ ଗ୍ରହଣୀୟ ନୁହେଁ । ଏଭଳି କୁକାର୍ଯ୍ୟ ପାଇଁ ତୁରନ୍ତ ସର୍ବସମ୍ମୁଖରେ କ୍ଷମା ମାଗନ୍ତୁ ପ୍ରାୟଶ୍ଚିତ ହୁଅନ୍ତୁ । ନଚେତ୍ ଉକ୍ତ ଅନୁଷ୍ଠାନ ବିରୁଦ୍ଧରେ ଜଗନ୍ନାଥ ସେନା ଆଗାମୀ ଦିନରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ଆଉ ସରକାର ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି ।
ଇଟିଭି ଭାରତ ପୁରୀ