ପୁରୀ: ଆଉ କିଛି ଘଣ୍ଟା ପରେ ସରିବାକୁ ଯାଉଛି ବର୍ଷ ୨୦୨୨ । ବର୍ଷର ଶେଷ ଦିବସରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଲକ୍ଷାଧିକ ଭକ୍ତ । ଏଥିପାଇଁ ଶ୍ରୀମନ୍ଦିର ବାହାରେ ଭକ୍ତଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ପରିସ୍ଥିତି ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିର ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆଜି ସଅଳ ନୀତିକାନ୍ତି ପରେ ରାତି ୯ରେ ପହଡ଼ ଓ ରାତି ୧ରୁ ଦର୍ଶନ ଆରମ୍ଭ ହେବ ।
ତେବେ କେବଳ ଆଜି ନୁହେଁ, ଆସନ୍ତାକାଲି ନୂଆବର୍ଷ ୨୦୨୩ର ପ୍ରଥମ ଦିନରେ ମଧ୍ୟ ପ୍ରବଳ ଭିଡ଼ ହେବ । ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ଅଫିସରୁ ମାର୍କେଟ ଛକ ପର୍ଯ୍ୟନ୍ତ ପ୍ରଶାସନ ତରଫରୁ ବ୍ୟାରିକେଡ଼ କରାଯାଇଛି । ଭକ୍ତଙ୍କ ସୂଚନା ପାଇଁ ଏଲଇଡି ସ୍କ୍ରିନ (LED Screen)ର ବ୍ୟବସ୍ଥା ହୋଇଛି । ସ୍ବେଚ୍ଛାସେବୀଙ୍କ ଦ୍ବାରା ପାନୀୟ ଜଳ ବିତରଣ ହେଉଛି । ଭକ୍ତଙ୍କ ସୁରକ୍ଷା ପାଇଁ ୬୦ ପ୍ଲାଟୁନ ପୋଲିସ ଫୋର୍ସ ପୁରୀ ସହରରେ ମୁତୟନ କରାଯାଇଛି । ୩୧ ଡ଼ିସେମ୍ବର ଓ ଜାନୁଆରୀ ୧ ପାଇଁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ହୋଇଛି । ତେବେ ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ସହଳ ନିତିକାନ୍ତି କରାଯାଇ ଆଜି ରାତି ୯ ଟାରେ ମହାପ୍ରଭୁଙ୍କ ପହଡ଼ ନୀତି କରାଯିବ । ନୂଆବର୍ଷ ଅବସରରେ ରାତି ୧ ରୁ ମହାପ୍ରଭୁ ଦର୍ଶନ ଆରମ୍ଭ ହେବ । ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଉତ୍କଣ୍ଠାରେ ଅଛନ୍ତି ।
ଇଟିଭି ଭାରତ, ପୁରୀ