ବ୍ରହ୍ମଗିରି: ପରିଣତ ବୟସରେ ସଂଘର୍ଷମୟ ଜୀବନ । ଓଳିଏ ଖାଇଲେ ଓଳିଏ ଉପାସ । ଜରି ପକା କୁଡିଆ ଖଣ୍ଡେ ପାଲଟିଛି ରହଣି ଘର । ପରିଣତ ବୟସରେ ଜୀବନ ସହ ଏମିତି କଷ୍ଟଦାୟକ ସଂଘର୍ଷ କରୁଛନ୍ତି ବ୍ରହ୍ମଗିରି ବ୍ରାହ୍ମଣପଡା ଗାଁର ବୃଦ୍ଧା ଦମ୍ପତି ପଞ୍ଚୁ ନାଠି ଓ ତାଙ୍କ ସ୍ତ୍ରୀ ଗୁରୁବାରୀ ନାଠି । ପରିବାର କହିଲେ କେବଳ ବୃଦ୍ଧା ଦମ୍ପତିଙ୍କୁ ବୁଝାଏ । ହେଲେ ଜୀବନ ସହ ଚାଲିଥିବା ଏହି ସଂଘର୍ଷକୁ ନେଇ କେବେ ହାର ମାନିନାହାନ୍ତି ଉଭୟ ଦମ୍ପତି ।
ମାତ୍ର ଏତିକିରେ ଥମୁନି ବୃଦ୍ଧା ଦମ୍ପତିଙ୍କ ଦୁଃଖ । 'ଫନି' ବାତ୍ୟା ସେମାନଙ୍କ ଚାଳ ଛପର କୁଡ଼ିଆ ଖଣ୍ଡିକ ମାଟିରେ ମିଶାଇ ଦେଇଥିବାବେଳେ ଉଭୟ କିଛି ମାସ ଏକ ସ୍କୁଲରେ ମୁଣ୍ଡ ଗୁଞ୍ଜିଥିଲେ । ପରେ ଗ୍ରାମବାସୀଙ୍କ ସହାୟତାରେ ସେମାନଙ୍କୁ ମିଳିଥିଲା ଜରି ପକା କୁଡ଼ିଆ ଘର ଖଣ୍ଡେ । ତେବେ ବର୍ଷା ହେଲେ ସେହି ଜରି ପକା ଛପରରୁ ବର୍ଷା ପାଣି ଘର ଭିତରେ ପଶିଥାଏ । ମାତ୍ର ବର୍ଷା ଦାଉରୁ ନିଜକୁ ସୁରକ୍ଷିତ ରଖିବାକୁ ଘରର ଗୋଟେ କଣରେ ଉଭୟ ଦମ୍ପତି ଜାରି ହୋଇ ବସିଥାନ୍ତି ।
80 ବର୍ଷର ସ୍ବାଭିମାନି ପଞ୍ଚୁ ନାଠି ନିଜ ଦାରିଦ୍ରତାକୁ ନେଇ କେବେ କାହା ପାଖରେ ହାତ ପାତିନାହାନ୍ତି । ସେପଟେ ସରକାର ଅସହାୟଙ୍କ ପାଇଁ ଅନେକ ଯୋଜନା ପ୍ରସ୍ତୁତ କରିଛନ୍ତି । ହେଲେ ଏହି ଯୋଜନା କାହା ପାଇଁ ପୁଷ ମାସ ତ କାହା ପାଇଁ ସାତ ସପନ । ବୃଦ୍ଧ ପଞ୍ଚୁ ଓ ଗୁରୁବାରୀଙ୍କ ପାଇଁ ସରକାରୀ ଯୋଜନା ସାତ ସପନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଅନ୍ତୋଦୟ ଅନ୍ନ ଯୋଜନାରେ ମିଳୁଥିବା ଚାଉଳରେ କଷ୍ଟେମଷ୍ଟେ ଚଳିଯାଏ ଉଭୟଙ୍କ ଜୀବନ । ହେଲେ ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ଏମାନେ ୱାର୍ଡମେମ୍ବରଙ୍କ ଠାରୁ ସରପଞ୍ଚ ସମସ୍ତଙ୍କ ପାଖକୁ ଯାଇ ନିରାଶ ହୋଇଛନ୍ତି । ସେପଟେ ଏସମ୍ପର୍କରେ ନବନିଯୁକ୍ତ ବ୍ରହ୍ମଗିରି ଭିଡିଓଙ୍କ ପଚାରିବାରୁ ତଦନ୍ତ ପରେ ବୃଦ୍ଧା ଦମ୍ପତିଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।
ବିଡିଓ ମହାଶୟାଙ୍କ ପ୍ରତିଶ୍ରୁତି ପରେ ନିରାଶ ବୃଦ୍ଧା ଦମ୍ପତି ନିଜ ଶେଷ ଜୀବନରେ ସୁଖର ଜୀବନ କାଟୁଛନ୍ତି କି ନାହିଁ ତାହା ସମୟ ଅପେକ୍ଷାରେ ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ