ପୁରୀ: ରାଷ୍ଟ୍ରପତିଙ୍କ ପ୍ରତି ଟିଏମସି ନେତା ତଥା ପଶ୍ଚିମବଙ୍ଗ ମନ୍ତ୍ରୀ ଅଖିଳ ଗିରି (TMC leader Akhil Giri)ଙ୍କ ଅଶାଳୀନ ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଉଛି । ବିବାଦୀୟ ମନ୍ତ୍ରୀଙ୍କୁ ବରଖାସ୍ତ କରି ତାଙ୍କ ବିରୋଧରେ ଆଇନଗତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି ହୋଇଛି । ଅଖିଳ ଗିରିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଗିରଫ ଦାବିରେ କୋଣାର୍କ ସୁରକ୍ଷା ସମିତି ଅଧ୍ୟକ୍ଷ ତଥା ସମାଜସେବୀ ଶରତ ଜୟ ସିଂ ପୁରୀ ଟାଉନ ଥାନାରେ ଏତଲା ଦେଇଛନ୍ତି ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କ୍ୟାବିନେଟ ମନ୍ତ୍ରୀ ଅଖିଳ ଗିରି(TMC Minister Akhil Giri) ରାଷ୍ଟ୍ରପତି ମୁର୍ମୁଙ୍କ ଚେହେରାକୁ ନେଇ କଟାକ୍ଷ କରିଛନ୍ତି । ନନ୍ଦିଗ୍ରାମ ଠାରେ ଏକ ଜନସଭାକୁ ସମ୍ବୋଧିତ କରି ମନ୍ତ୍ରୀ କହିଛନ୍ତି, ''ଆମେ ରୂପକୁ ଦେଖି କାହାକୁ ବିଚାର କରିନଥାଉ । ଆମେ ରାଷ୍ଟ୍ରପତିଙ୍କ ପଦବୀକୁ ସମ୍ମାନ କରୁ । ହେଲେ ଆପଣଙ୍କ ରାଷ୍ଟ୍ରପତି କେମିତି ଦେଖାଯାଆନ୍ତି ?(how does your President look?)'' କହି ମହାମହିମଙ୍କୁ କଟାକ୍ଷ କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏହା ମଧ୍ୟ ପଢ଼ନ୍ତୁ...ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଘଟଣା, ନିନ୍ଦା କଲେ ପ୍ରତାପ ଷଡ଼ଙ୍ଗୀ
ତେବେ ଏହି ଘଟଣାକୁ ନେଇ କୋଣାର୍କ ସୁରକ୍ଷା ସମିତି ଅଧ୍ୟକ୍ଷ ତଥା ସମାଜସେବୀ ଶରତ ଜୟ ସିଂ ପୁରୀ ଟାଉନ୍ ଥାନାରେ ଏତଲା ଦେଇଛନ୍ତି । ଦେଶରେ ପ୍ରଥମ ନାଗରିକଙ୍କୁ ଏଭଳି ଅପମାନ କରିଥିବା ଟିଏମସି ମନ୍ତ୍ରୀ ଅଖିଳ ଗିରିଙ୍କୁ ତୁରନ୍ତ ପୋଲିସ ଗିରଫ କରିବାକୁ ଅଭିଯୋଗରେ କୋଣାର୍କ ସୁରକ୍ଷା ସମିତି ଦାବି କରିଛି । ଏନେଇ ଶରତ ଜୟ ସିଂ କହିଛନ୍ତି, "ଜଣେ ଆଦିବାସୀ ତଥା ଉଚ୍ଚ ଶିକ୍ଷିତ ମହିଳା ଦେଶରେ ରାଷ୍ଟ୍ରପତି ହୋଇ ସାରା ବିଶ୍ବରେ ଭାରତର ସମ୍ମାନ ରଖିଛନ୍ତି । ସମ୍ବିଧାନର ସର୍ବୋଚ୍ଚ ଆସନରେ ଥିବା ମହିଳାଙ୍କ ବର୍ଣ୍ଣକୁ ନେଇ ତାତ୍ସଲ୍ୟ କରିବା ଅତ୍ୟନ୍ତ ହୀନ ମାନସିକତାର ପରିଚୟ । ସେଥିପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୁରନ୍ତ ଅଖିଳ ଗିରିଙ୍କୁ ନିଜ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରିବା ସହ ପୋଲିସ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ନେଉ । ଯାହା ଫଳରେ ଆଗାମୀ ଦିନରେ ଏଭଳି ହୀନ କାର୍ଯ୍ୟ କରିବା ପାଇଁ କେହି ଯେମିତି ସାହାସ କରିବେ ନାହିଁ ।"
ଇଟିଭି ଭାରତ, ପୁରୀ