ପୁରୀ: ବିବାଦରେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ତଥା କୋରିଓଗ୍ରାଫର୍ ଶାଶ୍ବତ ଯୋଶୀ । ମହାପ୍ରଭୁ ଶ୍ରୀଅଙ୍ଗରେ ଲାଗି ହେଉଥିବା ଗୀତଗୋବିନ୍ଦ ଖଣ୍ଡୁଆ ପାଟ ପିନ୍ଧି କରିଛନ୍ତି ଫଟୋସୁଟ୍ । ଗୀତ ଗୋବିନ୍ଦ ଖଣ୍ଡୁଆ ପାଟରେ ନିର୍ମିତ ବସ୍ତ୍ର ପିନ୍ଧି ଏକ ଫଟୋ ସେ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଯାହାକୁ ନେଇ ସେବାୟତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଶାଶ୍ବତ ତୁରନ୍ତ କ୍ଷମା ପ୍ରାର୍ଥନା କରିବା ସହ ଏହି ବସ୍ତ୍ରର ବ୍ୟବହାର ସମ୍ପର୍କରେ ଓଡ଼ିଶାବାସୀଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଅବଗତ କରାଉ ବୋଲି ସେବାୟତମାନେ ଦାବି କରିଛନ୍ତି ।
ମହାପ୍ରଭୁଙ୍କ ପାଇଁ ଉଦ୍ଦିଷ୍ଟ ଗୀତ ଗୋବିନ୍ଦ ଖଣ୍ଡୁଆ ସେ କିଭଳି ପରିଧାନ କଲେ ସେବାୟତ ପ୍ରଶ୍ନ କରିଛନ୍ତି । ଗୀତ ଗୋବିନ୍ଦ ଖଣ୍ଡୁଆ କେବଳ ମହାପ୍ରଭୁଙ୍କ ପାଇଁ ଉଦ୍ଦିଷ୍ଟ । ଏହା ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ପରେ ବିଭିନ୍ନ ଦେବାଦେବୀଙ୍କ ନିକଟକୁ ଲାଗି ପାଇଁ ଯାଇଥାଏ । ନୃତ୍ୟଶିଳ୍ପୀ ଶାଶ୍ବତ ଯୋଶୀ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ହୋଇ ମହାପ୍ରଭୁଙ୍କ ରୀତିନୀତି ସଂସ୍କୃତି ବିଷୟରେ ଜାଣି ଏଭଳି ଭୁଲ କେମିତି କଲେ ସେ ନେଇ ମହାପ୍ରଭୁଙ୍କ ସେବାୟତ ରାଜାରାମ ଖୁଣ୍ଟିଆ ପ୍ରଶ୍ନ କରିଛନ୍ତି ।
ଏହା ବି ପଢନ୍ତୁ- ମହାପ୍ରଭୁଙ୍କ ଗୀତ ଗୋବିନ୍ଦ ଖଣ୍ଡୁଆ ବ୍ୟବହାର ନେଇ ଭକ୍ତଙ୍କୁ ସଚେତନ କରାଯାଉ: ସେବାୟତ
ଶାଶ୍ବତ ଯୋଶୀ ଏଭଳି କାର୍ଯ୍ୟରୁ ନିବୃତ ରହିବା ସହ ଭୁଲ ମାଗନ୍ତୁ ବୋଲି ସେବାୟତ ଦାବି କରିଛନ୍ତି । ସେହିପରି ଗୀତ ଗୋବିନ୍ଦ ଖଣ୍ଡୁଆ ପାଟର ବ୍ୟବହାର ଓ ଏହାକୁ କିଭଳି ଘରେ ରଖାଯାଏ ସେହି ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ସଚେତନତା ମୂଳକ ପଦକ୍ଷେପ ନେବାକୁ ସେବାୟତ ରାଜାରାମ ଖୁଣ୍ଟିଆ ଶ୍ରୀମନ୍ଦିର ପ୍ରଶାସନକୁ ଅନୁରୋଧ କରିଛନ୍ତି। ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବା ପରେ ଗୀତ ଗୋବିନ୍ଦ ଖଣ୍ଡୁଆକୁ ଘରେ ପୂଜା ପାଇଁ ରଖିବା ଉଚିତ। ଅନେକ ଭକ୍ତ ଏହା ଜାଣି ନାହାନ୍ତି । ଗତ କିଛିଦିନ ତଳେ ଜ୍ୟୋତିରଞ୍ଜନ ନାମକ ଜଣେ ମଡେଲ ଗୀତ ଗୋବିନ୍ଦ ଖଣ୍ଡୁଆ ପିନ୍ଧି ଫଟୋସୁଟ୍ କରିଥଲେ । ଏହାକୁ ବିଭିନ୍ନ ମହଲରେ ତୀବ୍ର ବିରୋଧ ପରେ ଉକ୍ତ ମଡେଲ ଏ ନେଇ କ୍ଷମା ପ୍ରାର୍ଥନା କରିଥିଲେ ।
ସୂଚନା ଥାଉ କି ଗୀତ ଗୋବିନ୍ଦ ଖଣ୍ଡୁଆ ପାଟ ମହାପ୍ରଭୁଙ୍କ ଏକ ସ୍ଵତନ୍ତ୍ର ବସ୍ତ୍ର । ଏହା କେବଳ ମହାପ୍ରଭୁଙ୍କ ପାଇଁ ଉଦ୍ଦିଷ୍ଟ । ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତିରେ ଏହାର ବ୍ୟବହାର ହୋଇଥାଏ । ବିଶେଷ କରି ମହାପ୍ରଭୁଙ୍କ ବଡ଼ସିଂହାର ବେଶରେ ଏହି ଗୀତ ଗୋବିନ୍ଦ ଖଣ୍ଡୁଆ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥାଏ । ଏ ସମ୍ପର୍କରେ ଲୋକେ ଅଜ୍ଞ ଥିବାରୁ ଏହାକୁ ବ୍ୟବହାର କରୁଛନ୍ତି । ଏଣୁ ଏ ନେଇ ବ୍ୟାପକ ଭାବେ ସଚେତନ କରାଯିବା ଉଚିତ ବୋଲି ସେବାୟତ ମହଲରେ ମତ ପ୍ରକାଶ ପାଇଛି ।
ଇଟିଭି ଭାରତ, ପୁରୀ