ପୁରୀ: ଚଳିତ ବର୍ଷ ସବୁ ପର୍ବପର୍ବାଣୀକୁ ଫିକା କରିଛି କୋରୋନା । କୋରୋନା କଟକଣା ମଧ୍ୟରେ ପାଳିତ ହେଉଛି ସମସ୍ତ ଉତ୍ସବ । ଏହି କ୍ରମରେ କୋଭିଡ କଟକଣାରେ ହେବ ପ୍ରସିଦ୍ଧ ଗୋଷାଣୀ ଯାତ୍ରା । ପୁରୀରେ ଶାରଦୀୟ ଦୁର୍ଗା ପୂଜାକୁ ଗୋଷାଣୀ ଯାତ୍ରା ଭାବେ ପାଳନ କରାଯାଏ। ଶହ ଶହ ବର୍ଷର ଏହି ପରମ୍ପରା ପାଇଁ ବିଭିନ୍ନ ପୂଜାମଣ୍ଡପରେ ପ୍ରସ୍ତୁତି ଆରମ୍ଭ ହୋଇଛି ।
ପରମ୍ପରା ଅନୁଯାୟୀ କିଳା ବଡ଼ିଆ ନୀତି ସମ୍ପନ୍ନ ହୋଇସାରିଛି। ତେବେ ଚଳିତ ବର୍ଷ କୋଭିଡ ମହାମାରୀ ଯୋଗୁ ଏହି ସ୍ବତନ୍ତ୍ର ପରମ୍ପରା ତଥା ପୂଜା ଉତ୍ସଵ ନିରାଡ଼ମ୍ବର ଭାବେ ପାଳନ ହେବ। ବିଧି ଅନୁଯାୟୀ କେବଳ ପୂଜାମଣ୍ଡପ ଓ ପୀଠ ଗୁଡିକରେ ପରମ୍ପରା ଅନୁଯାୟୀ ସୀମିତ ଲୋକଙ୍କ ମଧ୍ୟରେ ପୂଜା ଆୟୋଜନ ହେବ।
ତେବେ ଚଳିତ ବର୍ଷ କୋଭିଡ ମହାମାରୀ ଯୋଗୁଁ ଏହି ପ୍ରସିଦ୍ଧ ଗୋଷାଣୀ ଯାତ୍ରା ହେବ କି ନାହିଁ ସେ ନେଇ ଆଶଙ୍କା ପ୍ରକାଶ ପାଇଥିଲା। କୋଭିଡ କାଳରେ ଏହା କିପରି ଅନୁଷ୍ଠିତ ହେବ, ସେନେଇ ଚିନ୍ତାରେ ଥିଲେ ପୂଜା ମଣ୍ଡପ କର୍ମକର୍ତ୍ତା। ତେବେ ସମସ୍ତ ସୁରକ୍ଷାକୁ ଦୃଷ୍ଟିରେ ରଖି ନିରାଡ଼ମ୍ବର ଭାବେ ଏହି ପରମ୍ପରା କେଵଳ ଵିଧି ରକ୍ଷା ପାଇଁ ପାଳନ ହେବ ବୋଲି ପୂଜା ମଣ୍ଡପ କର୍ମକର୍ତ୍ତା କହିଛନ୍ତି। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଥିବାବେଳେ ଦେବୀ ପୀଠ ଓ ପୂଜା ମଣ୍ଡପ ଗୁଡିକରେ ମୂର୍ତ୍ତି ତିଆରି ପୂର୍ବରୁ କିଳା ବାଡ଼ିଆ ପରମ୍ପରା ଅନୁଷ୍ଠିତ ହୋଇ ସାରିଛି । ସେପଟେ ଚଳିତ ଥର ବିନା ଭକ୍ତରେ କେଵଳ ସମିତି ପୂଜା ମଣ୍ଡପ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପୂଜା ହେବ ବୋଲି ପୂଜା ମଣ୍ଡପ କର୍ମକର୍ତ୍ତା କହିଛନ୍ତି ।
ପୁରୀରେ 10ରୁ ଅଧିକ ଗୋଷାଣୀ ମେଢ଼ ସମେତ ପ୍ରତ୍ୟେକ ସାହିରେ ନାଗା ମୂର୍ତ୍ତି ପୂଜା ହୋଇଥାଏ। ବେଶ ଜାକ ଜମକରେ ଏହି ପୂଜା ଅନୁଷ୍ଠିତ ହୋଇଥାଏ। ହେଲେ ଚଳିତବର୍ଷ କୋରୋନା ମହାମାରୀ ଏସବୁରେ ବାଧକ ସାଜିଛି। ଏଥର ଗୋଷାଣୀ ପୂଜା କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ଅୟୋଜନ ପାଇଁ ଅନୁମତି ଦିଆଯିବ ବୋଲି ପୁରୀ ଉପଜିଲ୍ଲାପାଳ କହିଛନ୍ତି। ଏନେଇ ପ୍ରତ୍ୟେକ ପୂଜା ମଣ୍ଡପ କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଖୁବ ଶୀଘ୍ର ହେବ ବୋଲି ଉପ ଜିଲ୍ଲାପାଳ କହିଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ