ପୁରୀ: ମାତ୍ର ୧୦ ବର୍ଷ ବୟସରେ ଜୀବନ ସହ ସଂଗ୍ରାମ କରୁଛି ପୁରୀ କାଶିହରିପୁର ପଞ୍ଚାୟତ ଅଠରନଳା ନୀଳଚକ୍ର ନଗର ମୁସଲିମ ବସ୍ତିର ସୁହାନା ବେଗମ୍ । ମାରାତ୍ମର ରକ୍ତ କର୍କଟ ରୋଗରେ ପୀଡ଼ିତ ହୋଇଛି କୁନି ଝିଅ । ଆଉ ଏଭଳି ସ୍ଥିତିରେ ଉତ୍ତମ ଚିକିତ୍ସାର ଆବଶ୍ୟକ ରହିଥିବା ବେଳେ ଅର୍ଥ ସାଜିଛି ବାଧକ । ଏଥିଲାଗି ପରିବାର ଲୋକେ ରାଜ୍ୟ ସରକାର କିମ୍ବା କୌଣସି ବଦାନ୍ୟ ବ୍ୟକ୍ତିଙ୍କ ନିକଟରେ ସୁହାନାକୁ ସହଯୋଗ କରିବା ପାଇଁ ଗୁହାରି କରିଛନ୍ତି ।
କୋରୋନା ମହାମାରୀ ସମୟରେ ପ୍ରଥମେ ସୁହାନାଙ୍କୁ ଜ୍ଵର ହେଲା । ଜ୍ଵର ଭଲ ନହେବାରୁ ପରିବାର ଲୋକେ ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ, ପରେ ଭୁବନେଶ୍ବର ୬ ନମ୍ବର ହସ୍ପିଟାଲ, ଶିଶୁ ଭବନ ଓ ପରେ କଟକ ବଡ ଡାକ୍ତରଖାନା ହେମାଟୋଲୋଜି ବିଭାଗରେ ଭର୍ତ୍ତି କରିଥିଲେ। ତେବେ ରକ୍ତ ପରୀକ୍ଷା ହେବା ପରେ ସୁହାନା ବେଗମ୍ ରକ୍ତ କର୍କଟ ରୋଗରେ ପୀଡିତ ହୋଇଥିବା ଜଣାପଡ଼ିଲା । ସୁହାନାଙ୍କ ବାପା ଜଣେ ଅଟୋ ଡ୍ରାଇଭର ହୋଇଥିବାରୁ ବହୁ କଷ୍ଟରେ ଧାର ଉଧାର କରି ଝିଅକୁ ଭଲ କରିବା ପାଇଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ କଲେ । କିନ୍ତୁ ସୁହାନାର ଚିକିତ୍ସାରେ ସୁଧାର ଆସିଲା ନାହିଁ।
ପରିବାର ମୁଣ୍ଡ ଉପରେ ବଜ୍ର ପରି ବିପଦ ଠିଆ ହୋଇଗଲା । ସୁହାନାର ଚିକିତ୍ସା ପାଇଁ ୩୦ ଲକ୍ଷ ଟଙ୍କା ଆବଶ୍ୟକ ବୋଲି ଡାକ୍ତର କହୁଛନ୍ତି । ଏଣୁ ଏଭଳି ସ୍ଥଳେ ପରିବାର ଲୋକେ ଉପାୟଶୂନ୍ୟ ହୋଇପଡ଼ିଛନ୍ତି । ସୁହାନାଙ୍କ ଜେଜେ ମା' ସୁଲେମା ଗାଁରେ ଘରକୁ ଘର ବୁଲି ନାତୁଣୀର ଚିକିତ୍ସା ପାଇଁ ଟଙ୍କା ମାଗୁଛନ୍ତି । ରାଜ୍ୟ ସରକାର କିମ୍ବା ବଦାନ୍ୟ ବ୍ୟକ୍ତି ତାଙ୍କୁ ସହଯୋଗର ହାତ ବଢାଇଲେ ସୁହାନା ଏକ ନୂଆ ଜୀବନ ପାଇପାରିବ ବୋଲି ପରିବାର ଲୋକେ ଗୁହାରି କରିଛନ୍ତି । ସୁହାନା ଏବେ ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ବ୍ଲଡ କ୍ୟାନ୍ସରରେ ଆକ୍ରାନ୍ତ ଏହି ଛୋଟ ଝିଅଟିର ଚିକିତ୍ସା ପାଇଁ ସାହାଯ୍ୟ ଓ ସହଯୋଗ ପାଇଁ କାଶୀହରିପୁର ପଞ୍ଚାୟତର ଜିଲ୍ଲା ପରିଷଦ ସଭ୍ୟା ମାମିନା ଦାସ, ସମିତି ସଭ୍ୟ ପ୍ରଦୀପ୍ତ ଭାନୁ ଘଟୁଆରୀଙ୍କ ସହ ରାଷ୍ଟ୍ରୀୟ ସଦଭାବନା ମଞ୍ଚର ଆବାହକ ସଞ୍ଜୟ କୁମାର ପ୍ରଧାନ ଓ ଅଞ୍ଚଳବାସୀ ଅର୍ଥ ସଂଗ୍ରହ ପାଇଁ ଏକ କ୍ୟାମ୍ପେନ୍ ଆରମ୍ଭ କରିଛନ୍ତି । ସୁହାନାଙ୍କ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ଅସ୍ତ୍ରୋପଚାର ପାଇଁ ୧୫ ଲକ୍ଷ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏହି ଅଭାବ ଓ ଗରିବ ପରିବାର ପାଇଁ ୩୦ ଲକ୍ଷ ଟଙ୍କା ଯୋଗାଡ କରିବା ଏକ ସ୍ବପ୍ନ ପରି । ଏଭଳି ସ୍ଥଳେ ସମସ୍ତେ ଯଦି ଓଡିଶାବାସୀ ସହଯୋଗର ହାତ ବଢାନ୍ତେ ସୁହାନା ଏକ ନୂଆ ଜୀବନ ପାଇପାରନ୍ତା ।
କୌଣସି ସହୃଦୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ ସୁହାନାଙ୍କ ଚିକିତ୍ସା ପାଇଁ ଯଦି ଆର୍ଥିକ ସହଯୋଗ କରିବା ପାଇଁ ଚାହୁଁଛନ୍ତି ତେବେ ଫୋନ୍ ପେ ନମ୍ବର 9861721038 ରେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ