ପୁରୀ: ପଦାରେ ପଡ଼ିଲା ଟ୍ୟୁସନ ସାରଙ୍କ ଚୋରା ପ୍ରୀତି । ଛାତ୍ରୀଙ୍କୁ ଟ୍ୟୁସନ ସାର ଜଣକ ଅପହରଣ କରିଥିବା ନେଇ ଅଭିଯୋଗ ହୋଇଛି । ଏ ନେଇ ନ୍ୟାୟ ପାଇଁ ଛାତ୍ରୀଙ୍କ ପରିବାର ଲୋକ ପୁରୀ ଏସପିଙ୍କ ଅଫିସ ଆଗରେ ଦେଇଛନ୍ତି ଧାରଣା । ପୂର୍ବରୁ ପୋଲିସ ନିକଟରେ ଝିଅକୁ ଖୋଜିବା ଲାଗି ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ବିଳମ୍ବ ହୋଇଛି । ବାରମ୍ବାର ପୋଲିସ ଷ୍ଟେସନ ଯିବାରୁ ଦିବ୍ୟାଙ୍ଗ ବାପାକୁ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ପୁରୀ ସଦର ଥାନା ଅନ୍ତର୍ଗତ ତଳଜଙ୍ଗ ଗ୍ରାମରେ ଘଟିଛି ।
ଟ୍ୟୁସନ କରୁଥିବା ସାର ନାବାଳିକା ଛାତ୍ରୀଙ୍କୁ ନେଇ ଫେରାର ହୋଇପଡ଼ିଥିବା ଅଭିଯୋଗ ହୋଇଛି । ଗତ ଡ଼ିସେମ୍ବର ମାସ ୭ ତାରିଖରେ ପୁରୀ ସଦର ଥାନା ଅନ୍ତର୍ଗତ ତଳଜଙ୍ଗ ଗ୍ରାମର ଘଟିଥିଲା । ନାବାଳିକା ତଥା ଦଶମ ଶ୍ରେଣୀର ଛାତ୍ରୀ ଜଣକ ଉକ୍ତ ଗ୍ରାମର ବିକ୍ରମ ନାୟକଙ୍କ ପାଖରେ ଟ୍ୟୁସନ ହେଉଥିଲା । ଗତ ମାସ ୭ ତାରିଖରେ ନାବାଳିକାକୁ ନେଇ କେଉଁ ଆଡ଼େ ଫେରାର ହୋଇଯାଇଥିବା ନାବାଳିକାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହି ଘଟଣା ଘଟିବା ପରେ ପରିବାର ପକ୍ଷରୁ ସଦର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା ।
ଏହା ବି ପଢନ୍ତୁ- ପବିତ୍ର ଶାମ୍ବଦଶମୀ ପାଇଁ ଅର୍କକ୍ଷେତ୍ରରେ ଗଡିଲା ସୂର୍ଯ୍ୟ ରଥ
ଝିଅକୁ ଖୋଜିବାରେ ବିଳମ୍ବ ହେବାରୁ ପରିବାର ଲୋକ ବାରମ୍ବାର ଥାନାକୁ ଦୌଡ଼ି ଥିଲେ। ହେଲେ ସେଠାରେ ପୋଲିସଙ୍କ ଦୁର୍ବ୍ୟବହାରର ଶିକାର ହେବାକୁ ପଡିଥିଲା ପରିବାର ଲୋକଙ୍କୁ ବୋଲି ଅଭିଯୋଗ ଆଣିଛନ୍ତି ଦିବ୍ୟାଙ୍ଗ ବାପା। ଝିଅକୁ ଫେରି ପାଇବା ଆଶାରେ ଥାନାକୁ ଯାଇ ପୋଲିସର ଦୁର୍ବ୍ୟବହାର ବିରୁଦ୍ଧରେ ଆଜି ପରିବାର ଲୋକ ନ୍ୟାୟ ପାଇଁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।
ଇଟିଭି ଭାରତ, ପୁରୀ