ବ୍ରହ୍ମଗିରି: ବିପର୍ଯ୍ୟୟ ପ୍ରଶିକ୍ଷଣ ଶିବିରରେ ଶିକ୍ଷା ନେଲେ ଯୁବକ ଯୁବତୀ। ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ସହାୟତାରେ ବ୍ରହ୍ମଗିରି ଯୁବକ ଯୁବତୀଙ୍କୁ ବାତ୍ୟା ବନ୍ୟା ଆଦି ବିପର୍ଯ୍ୟୟ ସମୟରେ ନିଜକୁ ସୁରକ୍ଷିତ ରଖିବା ସହ ଅନ୍ୟମାନଙ୍କୁ କିପରି ସୁରକ୍ଷିତ ରଖାଯିବ ସେହି ଶିବିରରେ ପ୍ରଶିକ୍ଷଣ ଦିଆଯାଇଥିଲା।
ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ସହାୟତାରେ ବ୍ରହ୍ମଗିରି ବ୍ଲକର ଗୋରୁଆଳ ଗାଁଠାରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ଠାରେ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ ପ୍ରାୟ 50 ଖଣ୍ଡ ଗାଁର 60ରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିଲେ।
ବ୍ରହ୍ମଗିରିକୁ ବିପର୍ଯ୍ୟୟ ଅଞ୍ଚଳ ଭାବେ ଗ୍ରହଣ କରାଯାଏ। ଏହି ଅଞ୍ଚଳରେ ବନ୍ୟା ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ମିଳିଥାଏ। ତେଣୁ ସରକାରଙ୍କ ଦ୍ଵାରା ବ୍ରହ୍ମଗିରି ବ୍ଲକର ଏକାଧିକ ଗ୍ରାମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ଅଟ୍ଟାଳିକା କରାଯାଇଛି। ପ୍ରତି ଆଶ୍ରୟ ସ୍ଥଳରେ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ବହୁ ସରଞ୍ଜାମମାନ ଯୋଗାଇ ଦିଆଯାଇଛି।
ଉକ୍ତ ସରଞ୍ଜାମକୁ ଉପଯୋଗ କରି ପ୍ରାକୃତିକ ବିପର୍ଯ୍ୟୟରୁ ନିଜକୁ ଓ ଅନ୍ୟ ମାନଙ୍କୁ କିପରି ରକ୍ଷା କରିବା ଉକ୍ତ ଶିବିରରେ ପ୍ରଶିକ୍ଷଣ ଦିଆଯାଇଥିଲା। 11ଦିନ ଧରି ଚାଲିଥିବା ଏହି ଶିବିରରେ ଦୀପକ କୁମାର ଜେନା ଓ ମଧୁସ୍ମିତା ସ୍ବାଇଁ ପ୍ରଶିକ୍ଷଣ ଦେଇଥିବା ବେଳେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳର ସମ୍ପାଦକ ମାନସ ବିଶ୍ବାଳ ସହଯୋଗ କରିଥିଲେ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ