ପୁରୀ: ଆଜି ଶ୍ରୀମନ୍ଦିରରେ ପାଳନ ହେବ ମହାପ୍ରଭୁଙ୍କ ଦେବ ଦୀପାବଳି ନୀତି । ଆଜିଠାରୁ ତିନିଦିନ ବ୍ୟାପି ମହାପ୍ରଭୁଙ୍କ ଏହି ନୀତି ଅନୁଷ୍ଠିତ ହେବ । ମହାପ୍ରଭୁ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ମଧ୍ୟ କରିଥାନ୍ତି । ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ଏହି ନୀତି ଯଥାବିଧି ପାଳନ ହେବାର ପରମ୍ପରା ରହି ଆସିଛି । ଆଜି ପ୍ରଥମ ଦିନରେ ମହାପ୍ରଭୁ ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ସନ୍ଧ୍ୟାଧୂପ ନୀତି ବଢ଼ିବା ପରେ ଅଦିତି ଓ କଶ୍ୟପଙ୍କ ଉଦ୍ଦେଶ୍ୟରେ ଦୀପଦାନ ଏବଂ ଶ୍ରାଦ୍ଧ ଦେବେ ।
ଆସନ୍ତାକାଲି(ମଙ୍ଗଳବାର) ଦ୍ଵିତୀୟ ଦିନ ଅମାବାସ୍ୟା ତିଥିରେ ଦଶରଥ ଓ କୌଶଲ୍ୟାଙ୍କ ଉଦେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ ଦିଆଯିବ । ତୃତୀୟ ଦିନ ଅର୍ଥାତ ପ୍ରତିପଦା ତିଥିରେ ମହାପ୍ରଭୁ ଦେବକୀ, ବାସୁଦେବ, ନନ୍ଦ, ଯଶୋଦା, ମହାରାଜା ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ରାଣୀଙ୍କୁ ଦୀପଦାନ କରିବା ସହ ଶ୍ରାଦ୍ଧ ତର୍ପଣ ଦେବାର ପରମ୍ପରା ରହିଛି । ଏହିଦିନ ମାନଙ୍କରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରାଦ୍ଧ ବେଶରେ ପିତୃପୁରୁଷ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣ ଆଦି କରିବା ସହ ଆଜି ମହାଦୀପ ମଧ୍ୟ ପ୍ରଜ୍ବଳିତ ହୋଇଥାଏ । ତେଣୁ ଏହାକୁ ଦେବ ଦୀପାବଳି କୁହାଯାଏ । ସଂଧ୍ୟା ଧୂପ ପରେ ପୁଷ୍ପାଳକ ସେବାୟତମାନେ ମହାପ୍ରଭୁଙ୍କୁ ଶ୍ରାଦ୍ଧ ବେଶରେ ନାଗପୁରୀ ଶାଢୀ ଚାଦରରେ ଭୂଷିତ କରାଇଥାନ୍ତି। ଏହି ବେଶରେ ଶ୍ରୀବିଗ୍ରହ ମାନେ ଧଳାବସ୍ତ୍ର ପରିଧାନ କରିଥାନ୍ତି ।
ଏହା ମଧ୍ୟ ପଢନ୍ତୁ-ଶ୍ରୀମନ୍ଦିରରେ ଦେବ ଦୀପାବଳି, ଜଳିବ ଏକ ଲକ୍ଷ ଦୀପ
ଶ୍ରୀଜଗନ୍ନାଥ ମହାପ୍ରଭୁ 16ହାତ, ଶ୍ରୀବଳଭଦ୍ର 14 ହାତ ଓ ଦେଵୀ ସୁଭଦ୍ରା 12 ହାତ ଲମ୍ବ ବିଶିଷ୍ଟ ସୂତାଶାଢୀ ବା ନାଗପୁରୀ ଶାଢୀ ପରିଧାନ କରିଥାଆନ୍ତି । ଶ୍ରାଦ୍ଧ ବେଶରେ ଠାକୁରମାନେ ତଡଗୀ, ନଳୀଭୂଜ, ଚନ୍ଦ୍ର, ସୂର୍ଯ୍ୟ, କୁଣ୍ଡଳୀ, ଆଡକାନି, ହରିଡା ମାଳି, କମରପଟି ପ୍ରଭୃତି ସ୍ୱର୍ଣ୍ନ ଅଳଙ୍କାର ରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାଆନ୍ତି । ତେବେ ପବିତ୍ର ଦେବ ଦୀପାବଳିରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ଼ ରହିଛି । ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପବିତ୍ର ଦେବ ଦୀପାବଳିରେ ଶ୍ରୀମନ୍ଦିର ସିଂହଦ୍ଵାରଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଏକ ଲକ୍ଷ ଦୀପ ପ୍ରଜ୍ବଳନ କରାଯିବ । ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ପକ୍ଷରୁ ଦୀପଦାନ କରାଯିବ । ଆସନ୍ତାକାଲି ସନ୍ଧ୍ୟା 5ଟାରୁ 7 ପର୍ଯ୍ୟନ୍ତ ଦୀପଦାନ କରାଯିବ । ଜଗନ୍ନାଥ ସଂସ୍କୃତିକୁ ଉଜ୍ଜୀବିତ ରଖିବା ଓ ବିଶ୍ଵର କଲ୍ୟାଣ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।
ଇଟିଭି ଭାରତ, ପୁରୀ