ପୁରୀ: କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପୁରୀର ପ୍ରସିଦ୍ଧ ଶ୍ରୀ ସିରୁଳି ମହାବୀର ମନ୍ଦିରରେ 144 ଧାରା । ମହାବିଷୁବ ପଣା ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ପାଳନ ଅବସରରେ ମନ୍ଦିର ପରିସରରେ ଜନସାଧାରଣଙ୍କ ପ୍ରବେଶ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ଏହି କଟକଣା ଆସନ୍ତା ୧୪ ତାରିଖ ସକାଳ ୪ ଟା ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ସେହିଭଳି ରାମ ନବମୀ ପାଳନ ଅବସରରେ ଆସନ୍ତା ୨୧ ତାରିଖ ସକାଳ ୪ ଟା ଠାରୁ ରାତି ୯ ଟା ପର୍ଯ୍ୟନ୍ତ ଏହି କଟକଣା ଜାରି କରାଯାଇଛି ।
ତେବେ ଠାକୁରଙ୍କ ନୀତିକାନ୍ତି ବିଧି ମୁତାବକ ଚାଲୁ ରହିବ । ପ୍ରତ୍ୟେକ ଠାକୁରଙ୍କୁ ନେବା ଆଣିବା ତଥା ମେଳଣ ନିମନ୍ତେ ମାତ୍ର ୧୦ ଜଣ ବ୍ୟକ୍ତି ନିୟୋଜିତ ରହିବେ । ସ୍ଥାନୀୟ ଚନ୍ଦନପୁର ଥାନାଧିକାରୀଙ୍କ ସହ ପରାମର୍ଶ କରି ମନ୍ଦିର କମିଟି ପକ୍ଷରୁ ସମ୍ପୃକ୍ତ ସେବାୟତ ଓ ସହଯୋଗୀଙ୍କୁ ପ୍ରବେଶାନୁମତି ପତ୍ର ପ୍ରଦାନ କରାଯିବ ।
ସେହିଭଳି କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ଦେଉଳପଡାସ୍ଥିତ କମଳେଶ୍ବର ମନ୍ଦିର ପରିସରରେ ମଧ୍ୟ ମହାବିଷୁବ ପଣା ସଂକ୍ରାନ୍ତି ଓ ପଣା ଯାତ୍ରା ପାଳନ ଅବସରରେ ଜନ ସମାଗମ ଉପରେ ମଧ୍ୟ ୧୪୪ ଧାରା ଜାରି କରାଯାଇଛି । ଆସନ୍ତା ୧୩ ତାରିଖ ସକାଳ ୬ଟାରୁ ୧୬ ତାରିଖ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ କଟକଣା ଜାରି ରହିବ । ସ୍ଥାନୀୟ କୃଷ୍ଣପ୍ରସାଦ ତହସିଲଦାରଙ୍କ ପକ୍ଷରୁ ସଂପୃକ୍ତ ସେବାୟତ ଓ ସହଯୋଗୀଙ୍କୁ ପ୍ରବେଶାନୁମତି ପତ୍ର ପ୍ରଦାନ କରାଯିବ ।
କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୈନିକ ବୃଦ୍ଧି ପାଉଥିବା କାରଣରୁ ଉପଜିଲ୍ଲାପାଳ ଭବତାରଣ ସାହୁ ଏହି କଟକଣା ଜାରି କରିଛନ୍ତି । ମାତ୍ର ଉଭୟ ସ୍ଥାନରେ ଉକ୍ତ ଦିନ ଗୁଡିକରେ ସାଧାରଣ ଜରୁରୀକାଳୀନ ସେବା ଚାଲୁ ରହିବ । ତେବେ କର୍ତ୍ତବ୍ୟପାଳନ ନିମନ୍ତେ ନିୟୋଜିତ ଅଧିକାରୀ ଓ କର୍ମଚାରୀ ଖବର ପ୍ରସାରଣ ନିମନ୍ତେ ସ୍ଥାନୀୟ ସାମ୍ବାଦିକଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯିବ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ