ପୁରୀ: କୋଭିଡ ସଂକ୍ରମଣ ବ୍ୟାପିବା ଆଶଙ୍କାକୁ ନେଇ ନୂଆବର୍ଷ ପାଳନ ନେଇ ସରକାର କଟକଣା ଜାରି କରିଛନ୍ତି । ପୁରୀରେ ଏହି କଟକଣାକୁ କଡାକଡି ପାଳନ ନେଇ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ପୁରୀ SP କେ.ବିଶାଳ ସିଂଙ୍କ ସୂଚନା ଅନୁଯାୟୀ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କୋଭିଡ ଗାଇଡ଼ଲାଇନ ଅନୁସାରେ ହୋଟେଲ ଗୁଡିକରେ ଜିରୋନାଇଟ ସେଲିବ୍ରେସନ ବନ୍ଦ ରଖାଯାଇଛି । ସେହିପରି ପୁରୀ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ଓ SDPOଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସ୍ଥାନୀୟ ଅଞ୍ଚଳରେ କିଭଳି କୋଭିଡ ଗାଇଡ଼ଲାଇନ ଉଲଙ୍ଘନ ନହୁଏ ।
ରାମଚଣ୍ଡୀ, କୋଣାର୍କ ସମତେ ଜିଲ୍ଲାର ପ୍ରମୂଖ ମନ୍ଦିର ଓ ପର୍ଯ୍ୟଟନସ୍ଥଳୀରେ ଲୋକଙ୍କ ଭିଡ଼ ଯେଭଳି ନହୁଏ ସେନେଇ ନଜର ରଖାଯାଇଛି । ବିଭିନ୍ନ ସ୍ଥାନରେ ଗାଡି ଚେକିଂ ମଧ୍ୟ କରାଯାଉଛି । ସେହିପରି ପୁରୀ ସହରକୁ 13ଟି ସେକ୍ଟରରେ ବିଭକ୍ତ କରାଯାଇଛି । ପ୍ରତି ସେକ୍ଟରରେ ଜଣେ ପୋଲିସ ଅଫିସର ରହିବେ । ସହରର 7 ଟି ଥାନା ଅଧିକାରୀ ନିଜ ଅଞ୍ଚଳରେ ନଜର ରଖିବେ । 9 ପ୍ଲାଟୁନ ପୋଲିସ ପୁରୀ ସହରରେ ରହିବେ । ପୁରୀ ବିଚରେ 3 ପ୍ଲାଟୁନ ପୋଲିସ ଫୋର୍ସ ରହିବେ । ସେହିପରି ହୋଟେଲ ଗୁଡ଼ିକରେ ଚେକିଂ ପାଇଁ 10ଟି ଟିମ ହୋଇଛି । କୌଣସି ଜଗାରେ କୋଭିଡ ଗାଇଡ଼ଲାଇନ ଉଲଙ୍ଘନ ହେଲେ କଡା ପଦକ୍ଷେପ ନିଆଯିବ ବୋଲି ପୁରୀ SP କହିଛନ୍ତି । ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧିର ବର୍ଷ ହେଉ ବୋଲି ପୁରୀବାସୀଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଦେଇଛନ୍ତି ପୁରୀ SP । ତତସହିତ ସମସ୍ତେ ସରକାରଙ୍କ କୋଭିଡ ଗାଇଡ଼ ଲାଇନ ମାନିବାକୁ SP ଅନୁରୋଧ କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ