ପୁରୀ: ସ୍ବେଚ୍ଛାସେବୀଙ୍କୁ ସଂଘବଧ ଆକ୍ରମଣ ଘଟଣା ଏବେ ଏକ ଭିନ୍ନ ମୋଡ଼ ନେଇଛି। ପୁରୀ ଉପଜିଲ୍ଲାପାଳ ଓ ସିଂହଦ୍ବାର ଥାନା ଆଇଆଇସିଙ୍କ ସହିତ 7 ଜଣଙ୍କ ନାମରେ ମାମଲା ରୁଜୁ ପାଇଁ ପୁରୀ ଏସଡିଜେଏମ କୋର୍ଟ ବାସେଳି ସାହି ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ବେଚ୍ଛାସେବୀ ସୁବ୍ରତ କୁମାର ଦାସଙ୍କୁ ସଙ୍ଘବଧ ଆକ୍ରମଣ ନେଇ ହୋଇ ଥିବା 1 ସିସି କେସର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।
![ସ୍ବେଚ୍ଛାସେବୀଙ୍କୁ ଆକ୍ରମଣ ମାମଲା, ପୁରୀ ଉପଜିଲ୍ଲାପାଳ ଓ ସିଂହଦ୍ବାର ଥାନା ଅଧିକାରୀଙ୍କ ନାଁରେ ମାମଲା ରୁଜୁ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ](https://etvbharatimages.akamaized.net/etvbharat/prod-images/od-pur-03-puri-courtorder-avo-7205521_06022021093435_0602f_1612584275_335.jpg)
ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ଚାରି ପାଖ ଉଚ୍ଛେଦ ବେଳେ ଅନେକ ହରିଲୁଟ ହେଉଥିବା ନେଇ ଅଭିଯୋଗ କରି ସ୍ବର ଉଠାଇ ଥିଲେ ସ୍ବେଚ୍ଛାସେବୀ ସୁବ୍ରତ ଦାସ । ସୋସିଆଲ ମିଡ଼ିଆରେ ସୁବ୍ରତ ଏ ନେଇ ବିରୋଧ ମଧ୍ୟ କରିଥିଲେ। ତେଣୁ ଗତ 2020 ମସିହା ଫେବୃଆରୀ 14 ତାରିଖରେ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ଠାରେ ଛିଡା ହୋଇଥିବା ବେଳେ କିଛି ପ୍ରଭାବଶାଳୀ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ। ଏ ସମୟରେ ଉପଜିଲ୍ଲାପାଳ ଭଵ ତାରଣ ସାହୁ ଓ ସିଂହଦ୍ବାର ଥାନା ଆଇଆଇସି ଗେଲି ସାହୁ ଉପସ୍ଥିତ ଥିଲେ ବୋଲି ଅଭିଯୋଗ ହୋଇଛି। ଏପରିକି ସୋସିଆଲ ମିଡିଆରେ କାହିଁକି ଅପଲୋଡ଼ କଲୁ ବୋଲି ଉପଜିଲ୍ଲାପାଳ ଧମକ ଦେଇଥିବା ଓ ଆଇନ ଜାଲରେ ଛନ୍ଦି ଦେବାକୁ ସିଂହଦ୍ବାର ଥାନା ଅଧିକାରୀ ଧମକ ଦେଇଥିବା ନେଇ ଅଭିଯୋଗ ପତ୍ରରେ ଉଲେଖ କରିଛନ୍ତି ସୁବ୍ରତ।
![ସ୍ବେଚ୍ଛାସେବୀଙ୍କୁ ଆକ୍ରମଣ ମାମଲା, ପୁରୀ ଉପଜିଲ୍ଲାପାଳ ଓ ସିଂହଦ୍ବାର ଥାନା ଅଧିକାରୀଙ୍କ ନାଁରେ ମାମଲା ରୁଜୁ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ](https://etvbharatimages.akamaized.net/etvbharat/prod-images/od-pur-03-puri-courtorder-avo-7205521_06022021093435_0602f_1612584275_346.jpg)
ଏଣୁ ଉଭୟ ଅଧିକାରୀଙ୍କ ସହ ଆକ୍ରମଣକାରୀ ଭାବେ ରାଜ କିଶୋର ଦାସ, ମାନସ ଦଳ ବେହେରା, ସନ୍ତୁ ଦଳ ବେହେରା, ଶ୍ୟାମ ସୁନ୍ଦର ସାହୁ ଓ ରଞ୍ଜିତ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଏତଲା ଦେଇଥିଲେ ସୁବ୍ରତ। ଏପରିକି ଆକ୍ରମଣରେ ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ସେ ଭର୍ତି ବି ହୋଇ ଥିଲେ। ଏହି ଘଟଣା ନେଇ ସୁବ୍ରତ ବାସେଲି ସାହି ଥାନାରେ ଏତଲା ମଧ୍ୟ ଦେଇଥିଲେ। ହେଲେ ପୋଲିସ ମାମଲା ଗ୍ରହଣ କରି ନ ଥିଲା। ତେଣୁ ସେ ବାଧ୍ୟ ହୋଇ ଫେବୃଆରୀ 17 ତାରିଖରେ ଅଦାଲତଙ୍କ ଠାରେ 1 ସିସି ଫାଇଲ କରିଥିଲେ। ଏହାର ଶୁଣାଣି କରି 7 ଜଣକ ବିରୋଧରେ ମାମଲା ରୁଜୁ କରିବାକୁ ଅଦାଲତ ଗତ 25 ତାରିଖରେ ବାସେଲି ସାହି ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ