ପୁରୀ : ପୁଣି ଚର୍ଚ୍ଚାରେ ନାଗା ସାଧୁ ବୈଷ୍ଣବ ପୁରୀ । ଏଥର ଶ୍ରୀମନ୍ଦିର ଭିତରେ ପଶି ଜୋର ଜବରଦସ୍ତ ଭାବେ କୋଭିଡ ପାଇଁ ଦୀର୍ଘ ଦିନ ଧରି ବନ୍ଦ ପଡିଥିବା ରୋହିଣୀ କୁଣ୍ତର ପଟ୍ଟା ଖୋଲି ଜଳ ସିଞ୍ଚନ କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ସେଠାରେ ମୁତୟନ ଥିବା ଜେଟିପି ବାରଣ କରିବାରୁ କଥା କଟାକଟି ହୋଇଥିଲା । ନାଗା ସାଧୁ ବୈଷ୍ଣବ ପୁରୀଙ୍କୁ ଶ୍ରୀମନ୍ଦିର ଜେଟିପି କର୍ମଚାରୀ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ।
ଆହତ ନାଗା ସାଧୁଙ୍କୁ ଚିକିତ୍ସା ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ମେଡିସିନ୍ ୱାର୍ଡରେ ଭର୍ତ୍ତି କରାଯାଇଛି । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ତେବେ ଶ୍ରୀମନ୍ଦିର ଖୋଲି ସାରିଥିବା ବେଳେ ଭକ୍ତଙ୍କୁ କାହିଁକି ରୋହିଣୀ କୁଣ୍ଡ ଦର୍ଶନରୁ ବଞ୍ଚିତ କରାଯାଇଛି ଆହତ ବାବା ପ୍ରଶ୍ନ କରିଛନ୍ତି । ଏହା ଦ୍ୱାରା ଭକ୍ତଙ୍କ ଧାର୍ମିକ ଅଧିକାର କ୍ଷୁର୍ଣ୍ଣ ହେଉଛି । ପୂର୍ବରୁ କୋଭିଡ କଟକଣା ବେଳେ ଜୋର ଜବରଦସ୍ତ ଶ୍ରୀମନ୍ଦିରରେ ପଶିବାକୁ ନେଇ ଏବଂ ଗତବର୍ଷ ରଥଯାତ୍ରା ବନ୍ଦ ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟଙ୍କୁ ସମାଲୋଚନା କରି ଚର୍ଚ୍ଚାର ପରିସରକୁ ଆସିଥିଲେ ନାଗା ସାଧୁ ବୈଷ୍ଣବ ପୁରୀ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ