ପୁରୀ: ସାତଦିନିଆ ଜାପାନ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି (ମଙ୍ଗଳବାର) ଭୋରୁ ଜାପାନ ରାଜଧାନୀ ଟୋକିଓରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ସେଠାରେ ଭାରତର ରାଷ୍ଟ୍ରଦୂତ ସିବି ଜର୍ଜ ସ୍ବାଗତ କରିଥିଲେ । ଆସନ୍ତାକାଲି (ବୁଧବାର) ଟୋକିଓରେ ଓଡିଶା ବିଜନେସ ମିଟକୁ ସମ୍ବୋଧନ କରିବା ସହ ପୁଞ୍ଜିପତିଙ୍କୁ ଭେଟିବେ । ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ପାଇଁ ଜାପାନ ଓଡିଆ କମ୍ୟୁନିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ଆସନ୍ତାକାଲି ଜାପାନ ରାଜଧାନୀ ଟୋକିଓରେ ଜାପାନ ପୁଞ୍ଜିପତିଙ୍କୁ ଭେଟିବେ ନବୀନ । ଓଡିଶାରେ ଜାପାନ ପୁଞ୍ଜିପତିମାନେ ଅର୍ଥ ବିନିଯୋଗ କରନ୍ତୁ ଓ ଓଡିଶାରେ ଶିଳ୍ପ ବିକାଶ ଅପାର ସମ୍ଭାବନା ଓ ସୁଯୋଗ ନେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେବେ । ଏହି ଅବସରରେ ଜାପାନରେ ରହୁଥିବା ଓଡିଆଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଜାପାନ ଓଡିଆ ଉତ୍ସାହିତ ଥିବା ସହ ମୁଖ୍ୟମନ୍ତ୍ରୀଙ୍କ ଭବ୍ୟ ସ୍ବାଗତ ନେଇ କମ୍ୟୁନିଟି ଫ୍ରେଣ୍ଡସିପ ସେଣ୍ଟର ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଭାରତ-ଜାପାନ ଫ୍ରେଣ୍ଡସିପ ସେଣ୍ଟରର ଜାପାନ ପ୍ରେସିଡେଣ୍ଟ ତଥା ପୁରୀ ବାସିନ୍ଦା କୁନା ଦାଶ ବେଶ୍ ଉତ୍ସାହିତ ଥିବା କହିଛନ୍ତି ।
ଏହି ଅବସରରେ ଭାରତ ଓ ଜାପାନ ସମ୍ପର୍କ ସେତୁର ମାର୍ଗଦର୍ଶକ କୁନା ଦାଶ କହିଛନ୍ତି ସେ ଦୀର୍ଘ ୩୦ରୁ ଊର୍ଦ୍ଧ୍ବ ବର୍ଷ ଧରି ଜାପାନରେ ରହି ଆସୁଛନ୍ତି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିଛନ୍ତି । ଏହା ଏକ ବଡ ଖୁସି ଖବର । ଜାପାନରେ ଟେକ୍ନୋଲୋଜିର ଅଗ୍ରଗତି ଅଛି । ଓଡିଶାରେ ପୁଞ୍ଜିନିବେଶ ହେଲେ ନିଯୁକ୍ତି ଓ ରୋଜଗାରର ସୁଯୋଗ ସୃଷ୍ଟି ହେବ ।
ବିଦେଶୀ ପୁଞ୍ଜିନିବେଶ ପାଇଁ ଓଡିଶା ଭାରତ ବର୍ଷର ଏକ ଆକର୍ଷଣୀୟ କେନ୍ଦ୍ରବିନ୍ଦୁ ରହିଛି । ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଜାପାନ ଗସ୍ତ କରି ପୁଞ୍ଜିନିବେଶକ ସହ ଆଲୋଚନା କରିବେ । ଜାପାନ କମ୍ପାନୀ ଓଡିଶାରେ ହେବା ଦ୍ବାରା ଓଡିଶାର ବିକାଶ ସୁନିଶ୍ଚିତ ହେବ । ଏହା ଏକ ବଡ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି କୁନା ଦାଶ । ଦୀର୍ଘ ବର୍ଷ ଧରି ଓଡିଶା ଓ ଜାପାନର ଶିକ୍ଷା ଓ ସଂସ୍କୃତିର ଭାବ ବିନିମୟ କରି ଆସୁଛନ୍ତି କୁନା ଦାଶ । ଭାରତ ଜାପାନ ଫ୍ରେଣ୍ଡସିପ ସେଣ୍ଟର୍ ଅନୁଷ୍ଠାନ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।
ଏହା ବି ପଢନ୍ତୁ...ଜାପାନରେ ନବୀନ, ଟୋକିଓରେ ଓଡ଼ିଶା ବିଜନେସ ମିଟକୁ କରିବେ ସମ୍ବୋଧନ
ଓଡିଶାକୁ ଶିଳ୍ପ କ୍ଷେତ୍ରରେ ଶିଖର ଛୁଆଁଇବାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ସ୍ଵାଗତ କରିଛନ୍ତି ଓଡିଆ କମ୍ୟୁନିଟି । ଏହି ଗସ୍ତରେ ମୁଖ୍ୟମନ୍ତ୍ରୀ ଟୋକିଓରେ ପୁଞ୍ଜିନିବେଶକ ସମ୍ମିଳନୀରେ ଯୋଗ ଦେବା ସହ ଓସାକା ମଧ୍ୟ ଯିବେ ବୋଲି ଜଣାପଡ଼ିଛି । ଆଇଟି, ଶିଳ୍ପ, ପର୍ଯ୍ୟଟନ ଏବଂ କ୍ରୀଡା କ୍ଷେତ୍ର ଆଦି ଫୋକସରେ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତରେ ଜାପାନର ପ୍ରମୁଖ ଶିଳ୍ପପତିମାନଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଅନୁରୋଧ କରିବେ । ଓଡ଼ିଶାରେ ବିଶେଷ କରି ଇସ୍ପାତ, ଫୁଡ୍ ପ୍ରୋସେସିଂ, ପ୍ଲାଷ୍ଟିକ, ପେଟ୍ରୋ କେମିକାଲସ, ଟେକ୍ସଟାଇଲ, କେମିକାଲସ ପର୍ଯ୍ୟଟନ ଆଦି କ୍ଷେତ୍ରରେ ନିବେଶର ବିପୁଳ ସମ୍ଭାବନାର ଫାଇଦା ନେବାକୁ ଆହ୍ବାନ କରିବେ ।
ଇଟିଭି ଭାରତ, ପୁରୀ